ନୂତନ ଓ ଚୂଡାନ୍ତ ଭୋଟର ତାଲିକା-୨୦୨୫ ପାଇଁ ପ୍ରସ୍ତୁତି ଆରମ୍ଭ

ମାସ ଶେଷ ସୁଦ୍ଧା ପ୍ରକାଶ ପାଇବ ସମନ୍ବିତ ଚିଠା ଭୋଟର ତାଲିକା

ଭୁବନେଶ୍ୱର, ୨୧.୧୦: ୨୦୨୫ ମସିହା ପାଇଁ ସ୍ଵତନ୍ତ୍ର ଭୋଟର ତାଲିକା ସଂଶୋଧନ ଏବଂ ନୂତନ ଓ ତ୍ରୁଟିଶୂନ୍ୟ ଚୂଡାନ୍ତ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଆଜି ଶ୍ରୀ ଆର୍.ଏସ୍. ଗୋପାଳନ୍ ରାଜ୍ୟର ରାଜନୈତିକ ଦଳଗୁଡିକର ପ୍ରତିନିଧିମାନଙ୍କ ସହ ବିଶଦ ଆଲୋଚନା କରିଛନ୍ତି ।

ବୈଠକରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଶତ୍ରୁଘ୍ନ କର ଏକ ପାଓ୍ବାରପଏଣ୍ଟ ମାଧ୍ୟମରେ ପ୍ରତିନିଧିମାନଙ୍କୁ କହିଲେ ଯେ, ବ୍ଲକସ୍ତରୀୟ ଅଧିକାରୀମାନେ ଅଗଷ୍ଟ ୨୦ ତାରିଖରୁ ଅକ୍ଟୋବର ୧୮ ତାରିଖ ପର୍ଯ୍ୟନ୍ତ ଘରକୁ ଘର ବୁଲି ଭୋଟର ତାଲିକାର ବିଶଦ ସଂଶୋଧନ କରିଥିଲେ । ପୂର୍ବରୁ ୫୮ ଜଣ ନିର୍ବାଚନ ପଂଜିକରଣ ଅଧିକାରୀ କାର୍ଯ୍ୟରତ ଥିଲାବେଳେ ସମ୍ପ୍ରତି ୧୩୩ ଜଣ ନିର୍ବାଚନ ପଂଜିକରଣ ଅଧିକାରୀ ଏହି କାଯ୍ୟରେ ନିୟୋଜିତ ହୋଇଛନ୍ତି । ୧୧୯ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ୧୧୯ ଜଣ ଓ ଅବଶିଷ୍ଟ ୨୮ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ୧୪ ଜଣ ନିୟୋଜିତ ହୋଇଥିଲେ । ୩୭,୮୦୯ଟି ପୁରୁଣା ପୋଲିଂ ଷ୍ଟେସନ୍‌ର ସଂଖ୍ୟାକୁ ବୃଦ୍ଧି କରି ୩୮,୦୬୭ ପୋଲିଂ ଷ୍ଟେସନ୍, ଏହିପରି ୫୮ଟି ନୂତନ ପୋଲିଂ ଷ୍ଟେସନ୍‌ କରାଯାଇଛି । ଜିଲ୍ଲା ନିର୍ବାଚନ ଅଧିକାରୀମାନଙ୍କ ସୁପାରିଶ ଅନୁସାରେ ୧୧୪ ଟି ପୋଲିଂ ଷ୍ଟେସନ୍‌ର ସ୍ଥାନ ନିର୍ବାଚନ କମିଶନଙ୍କ ସ୍ୱୀକୃତିକ୍ରମେ ବଦଳାଯାଇଛି । ୧୫ଟି ପୋଲିଂ ଷ୍ଟେସନ୍‌ର ନାମକରଣ ମଧ୍ୟ ବଦଳିଛି ।

ଅକ୍ଟୋବର ୨୯ ତାରିଖରେ ସମନ୍ବିତ ଚିଠା ଭୋଟର ତାଲିକା ପ୍ରକାଶ କରାଯିବ । ଅକ୍ଟୋବର ୨୯ ତାରିଖରୁ ନଭେମ୍ବର ୨୮ ତାରିଖ ପର୍ଯ୍ୟନ୍ତ ଦାବି ଓ ଆପରି ଜଣାଇପାରିବେ । ଏହି ଭୋଟର ତାଲିକା ସଂଶୋଧନ ସମୟ ମଧ୍ୟରେ ୪ ଗୋଟି ‘ସ୍ଵତନ୍ତ୍ର ଅଭିଯାନ’ କାର୍ଯ୍ୟକ୍ରମ ଗ୍ରହଣ କରାଯିବ । ଏହି ସ୍ୱତନ୍ତ୍ର ଅଭିଯାନ ନଭେମ୍ବର ୨ ଓ ୧୦ ତାରିଖ ଓ ନଭେମ୍ବର ୧୬ ଓ ୨୪ ତାରିଖରେ ଅନୁଷ୍ଠିତ ହେବ । ଏହି ଦିନମାନଙ୍କରେ ରାଜ୍ୟର ସବୁ ବୁଥ୍‌ରେ ବୁଥସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଭୋଟରମାନଙ୍କୁ ଭୋଟର ତାଲିକାରେ ନାମ ପଞ୍ଜୀକରଣ ସହ ଅନ୍ୟାନ୍ୟ ସମସ୍ତ ସୁବିଧା ଯୋଗାଇଦେବେ । ପ୍ରତ୍ୟେକ ଜିଲ୍ଲାର ବରିଷ୍ଠ ଅଧୁକାରୀମାନେ ରୋଲ୍ ପର୍ଯ୍ୟବେକ୍ଷକ ଭାବେ ଉକ୍ତ ସ୍ଵତନ୍ତ୍ର ଅଭିଯାନ କାର୍ଯ୍ୟକ୍ରମକୁ ପରିଦର୍ଶନ କରିବେ । ୩ ଜଣ ଆର୍.ଡି.ସିଙ୍କ ସମେତ ୧୧ ଜଣ ବରିଷ୍ଠ ଆଇଏସ ଅଧୁକାରୀ ବିଭିନ୍ନ ଜିଲ୍ଲାର ରୋଲ୍ ପର୍ଯ୍ୟବେକ୍ଷକ ଭାବେ କାଯ୍ୟ କରିବେ । ଡିସେମ୍ବର ୨୪ ସୁଦ୍ଧା ସମସ୍ତ ଦାବି ଓ ଆପଭିର ସମାଧାନ ହେବ । ଜାନୁଆରୀ ୧, ୨୦୨୫ ସୁଦ୍ଧା ମୃତ ବ୍ୟକ୍ତିମାନଙ୍କ ନାମ ଓ ଭୁଲକ୍ରମେ ତାଲିକାରେ ରହିଥ‌ିବା ନାମଗୁଡିକୁ କଟାଯିବ । ଜାନୁଆରୀ ୬, ୨୦୨୫ ଦିନ ରାଜ୍ୟର ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ।

ଭୋଟର ତାଲିକାରେ ନାମ ପଞ୍ଜୀକରଣ ନିମନ୍ତେ ଭୋଟରମାନେ ବିଶେଷକରି ଯୁବ ଭୋଟରମାନେ ଗୁଗୁଲ୍ ପ୍ଲେ ଟୋରରୁ Voter Helpline App ଡାଉନ୍‌ଲୋଡ୍ କରି ନିଜେ ଘରେ ଆବେଦନ କରିପାରିବେ । ଆମ ରାଜ୍ୟ ଓଡ଼ିଶା ଅନ୍‌ଲାଇନ୍ ମାଧ୍ୟମରେ ଭୋଟର ତାଲିକାରେ ନାମ ପଞ୍ଜୀକରଣ କ୍ଷେତ୍ରରେ ସର୍ବଭାରତୀୟ ସ୍ତରରେ ଉଲ୍ଲେଖନୀୟ ସ୍ଥାନରେ ରହିଛି । ଅନ୍‌ଲାଇନ୍ ମାଧ୍ଯମରେ ପଞ୍ଜୀକରଣ କରିବା ବହୁତ ସହଜ ଓ ସରଳ ଅଟେ । ଭୋଟର ତାଲିକାରେ କୌଣସି ତ୍ରୁଟି ଥିଲେ ଜନସାଧାରଣମାନେ ମଧ୍ୟ ନିର୍ଦ୍ଧାରିତ ଫର୍ମରେ ଆବେଦନ କରିପାରିବେ । ଯଥା: ତାଲିକାରେ ନାମ ଯୋଗ ନିମନ୍ତେ ଫର୍ମ ନଂ-୬, ପ୍ରବାସୀ ଭୋଟରଙ୍କ ନାମ ପଂଜିକରଣ ପାଇଁ ଫର୍ମ ନଂ-୬ଏ, ତାଲିକାରୁ ନାମ ବାଦ୍ କିମ୍ବା ଅଭିଯୋଗ କରିବା ପାଇଁ ଫର୍ମ ନଂ-୭ରେ ଆବେଦନ ଓ ତ୍ରୁଟି ସଂଶୋଧନ, ସ୍ଥାନାନ୍ତରଣ, ବାସସ୍ଥାନ ବଦଳାଇଲେ କିମ୍ବା ଫଟୋ ଲଗାଇବା ନିମନ୍ତେ ଫର୍ମ ନଂ-୮ରେ ଆବେଦନ କରିବାକୁ ପଡ଼ିବ ବୋଲି ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ କର ପ୍ରକାଶ କରିଥିଲେ ।

ଭୋଟରଙ୍କୁ ବିଶେଷ କରି ନୂତନ ଭୋଟରଙ୍କୁ ଭୋଟର ତାଲିକାରେ ନାମ ପଞ୍ଜୀକରଣ ନିମନ୍ତେ ଅବଗତ କରାଇବା, ୧୭ ବର୍ଷରୁ ଉର୍ଦ୍ଧ୍ୱ ଭୋଟରମାନଙ୍କୁ ଆଗତୁରା ଆବେଦନ ପତ୍ର ଦାଖଲର ସବୁପ୍ରକାରର ସୁବିଧା କରାଇବା ଓ ନୂତନ ଭୋଟରମାନଙ୍କୁ ଅନ୍‌ଲାଇନ୍ ମାଧ୍ୟମରେ ପଞ୍ଜୀକରଣ ନିମନ୍ତେ ଆକୃଷ୍ଟ କରିବା କ୍ଷେତ୍ରରେ ରାଜନୈତିକ ଦଳଗୁଡିକ ବିଶେଷ ଧ୍ୟାନ ଦେବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ପରାମର୍ଶ ଦେଇଥିଲେ ।

ଏହି ବୈଠକରେ ବିଜେଡି ଦଳ ପକ୍ଷରୁ ଶ୍ରୀ ବିଜୟ ନାୟକ, ଆମ ଆଦମି ଦଳ ପକ୍ଷରୁ ସନ୍ଦୀପ୍ତ ଦାସ, ବହୁଜନ ସମାଜ ପାର୍ଟି ପକ୍ଷରୁ ମଧୁସୂଦନ ଯାଦବ ପ୍ରମୁଖ ଯେଟ ଦେଇଥିଲେ । ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ମିହିର ମହାନ୍ତି ଓ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।