ଘରେ ବସି କରି ପାରିବେ ଭୋଟର ତାଲିକାରେ ନାମ ପଞ୍ଜୀକରଣ

ପଢନ୍ତୁ କେମିତି କରିବେ ଆବେଦନ

ଭୁବନେଶ୍ବର, ୨୧/୧୦: ୨୦୨୫ ମସିହା ପାଇଁ ସ୍ଵତନ୍ତ୍ର ଭୋଟର ତାଲିକା ସଂଶୋଧନ ଏବଂ ନୂତନ ଓ ତ୍ରୁଟିଶୂନ୍ୟ ଚୂଡାନ୍ତ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ଅନଲାଇନରେ ଭୋଟର ତାଲିକାରେ କିପରି ନାମ ପଞ୍ଜୀକରଣ କରାଯିବ ସେ ନେଇ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଶତ୍ରୁଘ୍ନ କର।

ଭୋଟର ତାଲିକାରେ ନାମ ପଞ୍ଜୀକରଣ ନିମନ୍ତେ ଭୋଟରମାନେ ବିଶେଷକରି ଯୁବ ଭୋଟରମାନେ ଗୁଗୁଲ୍ ପ୍ଲେ ଟୋରରୁ Voter Helpline App ଡାଉନ୍‌ଲୋଡ୍ କରି ନିଜେ ଘରେ ଆବେଦନ କରିପାରିବେ । ଆମ ରାଜ୍ୟ ଓଡ଼ିଶା ଅନ୍‌ଲାଇନ୍ ମାଧ୍ୟମରେ ଭୋଟର ତାଲିକାରେ ନାମ ପଞ୍ଜୀକରଣ କ୍ଷେତ୍ରରେ ସର୍ବଭାରତୀୟ ସ୍ତରରେ ଉଲ୍ଲେଖନୀୟ ସ୍ଥାନରେ ରହିଛି । ଅନ୍‌ଲାଇନ୍ ମାଧ୍ଯମରେ ପଞ୍ଜୀକରଣ କରିବା ବହୁତ ସହଜ ଓ ସରଳ ଅଟେ । ଭୋଟର ତାଲିକାରେ କୌଣସି ତ୍ରୁଟି ଥିଲେ ଜନସାଧାରଣମାନେ ମଧ୍ୟ ନିର୍ଦ୍ଧାରିତ ଫର୍ମରେ ଆବେଦନ କରିପାରିବେ । ଯଥା: ତାଲିକାରେ ନାମ ଯୋଗ ନିମନ୍ତେ ଫର୍ମ ନଂ-୬, ପ୍ରବାସୀ ଭୋଟରଙ୍କ ନାମ ପଂଜିକରଣ ପାଇଁ ଫର୍ମ ନଂ-୬ଏ, ତାଲିକାରୁ ନାମ ବାଦ୍ କିମ୍ବା ଅଭିଯୋଗ କରିବା ପାଇଁ ଫର୍ମ ନଂ-୭ରେ ଆବେଦନ ଓ ତ୍ରୁଟି ସଂଶୋଧନ, ସ୍ଥାନାନ୍ତରଣ, ବାସସ୍ଥାନ ବଦଳାଇଲେ କିମ୍ବା ଫଟୋ ଲଗାଇବା ନିମନ୍ତେ ଫର୍ମ ନଂ-୮ରେ ଆବେଦନ କରିବାକୁ ପଡ଼ିବ ବୋଲି ଶ୍ରୀ କର କହିଛନ୍ତି।

ଭାରତ ବିଶ୍ୱର ଏକ ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ହୋଇଥିବା ବେଳେ ଦେଶର ଶାସନରେ ସାଧାରଣ ଲୋକଙ୍କ ଅଂଶଗ୍ରହଣ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଦାୟିତ୍ୱବାନ ନାଗରିକ ହିସାବରେ ମତଦାନ କରିବା ସାଧାରଣ ଲୋକଙ୍କ ଅଧିକାର। ମତଦାନ କରିବାକୁ ଆଗ୍ରହ ସୃଷ୍ଟି କରିବା ସହ ଯୁବ ଭୋଟରଙ୍କୁ କିପରି ସରଳିକୃତ ଭାବରେ ଭୋଟର ତାଲିକାରେ ନାମ ପଞ୍ଜୀକରଣ ହୋଇପାରିବ ସେ ନେଇ ସଚେତନ କରାଉଛନ୍ତି ସରକାର। ତେଣୁ ଅନଲାଇନ ମାଧ୍ୟମରେ ସରଳ ଭାବରେ ଅନଲାଇନ ପଞ୍ଜୀକରଣ ବ୍ୟବସ୍ଥା ଆରମ୍ଭ ହୋଇଛି।