ଉପକୂଳ ମୁହାଁ ‘ଦାନା’

ଘଣ୍ଟା ପ୍ରତି ୧୨ କିମି ବେଗରେ ଆଗକୁ ବଢୁଛି ବାତ୍ୟା।

ଓଡିଶାର ଖୁବ୍ ପାଖରେ ଅଛି ବାତ୍ୟା: ସଦ୍ୟତମ ସୂଚନା

ଭୁବନେଶ୍ବର, ୨୪/୧୦: ଉତ୍ତର-ପଶ୍ଚିମ ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ସାମୁଦ୍ରିକ ଝଡ଼ ‘ଦାନା’ ଘଣ୍ଟା ପ୍ରତି ୧୨ କିଲୋମିଟର ବେଗରେ ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି ବୋଲି ଆଇଏମଡିର ସଦ୍ୟତମ ବୁଲେଟିନରୁ ଜଣାପଡ଼ିଛି। ଏହା ବର୍ତ୍ତମାନ ପାରାଦୀପଠାରୁ ପ୍ରାୟ ୨୧୦ କିଲୋମିଟର ଦକ୍ଷିଣ-ପୂର୍ବ, ଧାମରାଠାରୁ ୨୪୦ କିଲୋମିଟର ଦକ୍ଷିଣ-ଦକ୍ଷିଣ-ପୂର୍ବ ଏବଂ ସାଗର ଦ୍ୱୀପଠାରୁ ୩୦୦ କିଲୋମିଟର ଦକ୍ଷିଣରେ ରହିଛି। ୨୪ ତାରିଖ ମଧ୍ୟରାତ୍ରି କିମ୍ଵା ୨୫ ତାରିଖ ସକାଳ ସୁଦ୍ଧା ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରି ପୁରୀ ଏବଂ ସାଗର ଦ୍ୱୀପ ମଧ୍ୟରେ ଅତିକ୍ରମ କରି ଭିତରକନିକା ଓ ଧାମରା ନିକଟରେ ଲ୍ୟାଣ୍ଡଫଲ ହୋଇ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି।

ଏହା ପ୍ରଭାବରେ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଘଣ୍ଟା ପ୍ରତି ୯୫ରୁ ୧୦୫ କିଲୋମିଟର ବେଗରେ ପବନ ବହିବା ସହ ୨୪ ତାରିଖ ଅପରାହ୍ନ ପର୍ଯ୍ୟନ୍ତ ଏହା ଜାରି ରହିବ। ଏହା ପରେ ଏହା କମିବାର ସମ୍ଭାବନା ରହିଛି। ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗରର ଆଖପାଖ ଅଞ୍ଚଳରେ ଘଣ୍ଟା ପ୍ରତି ୯୫ରୁ ୧୦୫ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଥିବା ବେଳେ ୧୧୫ କିଲୋମିଟର ପର୍ଯ୍ୟନ୍ତ ବଢିପାରେ। ସେହିପରି ଉତ୍ତର-ପୂର୍ବ ବଙ୍ଗୋପସାଗର ଓ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ୨୫ ତାରିଖ ସୁଦ୍ଧା ପବନର ବେଗ ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ରହିବ ଏବଂ ଏହା ପରେ ହ୍ରାସ ପାଇବ।

ବର୍ତ୍ତମାନ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ପବନର ବେଗ ୬୦ରୁ ୭୦ କିଲୋମିଟର ଛୁଇଁସାରିଛି। ୨୫ ତାରିଖ ଯାଏଁ ଏହା କ୍ରମଶ ବଢି ୧୧୦ରୁ ୧୨୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। କ୍ରମଶଃ ୨୫ ତାରିଖ ପରେ ଏହା ହ୍ରାସ ପାଇବ। ସେହିପରି ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଜଗତସିଂହପୁର ଓ ଯାଜପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଏହି ଜିଲ୍ଲାଗୁଡିକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।