ବାତ୍ୟାକୁ ନେଇ ଆଇଏମଡି ଡିଜିଙ୍କ ବଡ ସୂଚନା

ବେଶୀ ପ୍ରଭାବିତ ହେବ ୩ ଜିଲ୍ଲା

ଭୁବନେଶ୍ବର, ୨୪/୧୦: ବାତ୍ୟା ‘ଦାନା’କୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ଶ୍ରୀ ମହାପାତ୍ର କହିଛନ୍ତି, ବାତ୍ୟା ଦାନା ଯୋଗୁଁ ଆଜି ଓ ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ। ବର୍ତ୍ତମାନ ପାରାଦ୍ୱୀପଠୁ ୨୦୦ କିମି ଦୂରରେ ରହିଛି ଦାନା। ଆଜି ରାତି କିମ୍ବା କାଲି ସକାଳ ସୁଦ୍ଧା ଲ୍ୟାଣ୍ଡଫଲ କରିବ ବାତ୍ୟା। କେନ୍ଦ୍ରସ୍ଥଳୀରେ ପବନର ବେଗ ୯୫ରୁ ୧୦୫ କିଲୋମିଟର ରହିଛି। ବାତ୍ୟା ଲ୍ୟାଣ୍ଡଫଲ ସମୟରେ ପୁରୀ ଓ ଖୋର୍ଦ୍ଧାରେ ୬୦ରୁ ୮୦ କିଲୋମିଟର ବେଗରେ ପବନ ବହିବ ଏବଂ ମୟୂରଭଞ୍ଜରେ ୮୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ବାତ୍ୟାରେ କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଅଧିକ ପ୍ରଭାବିତ ହେବ। ଲ୍ୟାଣ୍ଡଫଲ ବେଳେ କେନ୍ଦ୍ରାପଡ଼ା ଓ ଭଦ୍ରକରେ ସାମୁଦ୍ରିକ ଜୁଆର ଆସିବ। ୧ରୁ ୨ ମିଟର ଯାଏଁ ଜୁଆର ଉଠିବା ସମ୍ଭାବନା ରହିଛି ବୋଲି ଆଇଏମଡି ଡିଜି ସୂଚନା ଦେଇଛନ୍ତି।