ବାତ୍ୟା ଅପଡେଟ୍: ମନ୍ଥର ଗତିରେ ଆସୁଛି ‘ଦାନା’

ଅଧରାତିରେ ହେବ ଲ୍ୟାଣ୍ଡଫଲ!

ଭୁବନେଶ୍ବର, ୨୪/୧୦: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ‘ଦାନା’ ଘଣ୍ଟା ପ୍ରତି ୧୦ କିଲୋମିଟର ବେଗରେ ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ଏହା ପାରାଦୀପଠାରୁ ପ୍ରାୟ ୧୫୦ କିଲୋମିଟର ଦକ୍ଷିଣ-ପୂର୍ବ, ଧାମରାଠାରୁ ୧୮୦ କିଲୋମିଟର ଦକ୍ଷିଣ-ଦକ୍ଷିଣ-ପୂର୍ବ ଏବଂ ସାଗର ଦ୍ୱୀପଠାରୁ ୨୫୦ କିଲୋମିଟର ଦକ୍ଷିଣରେ ରହିଛି। ସାମୁଦ୍ରିକ ଝଡ଼ ‘ଦାନା’ ଉପକୂଳ ଆଡ଼କୁ ମୁହାଁଉଥିବା ବେଳେ ଆଜି ରାତି ୩ଟା ସୁଦ୍ଧା ଲ୍ୟାଣ୍ଡଫଲ କରିପାରେ ବୋଲି ଆଇଏମଡି ଆକଳନ କରିଛି। ଲ୍ୟାଣ୍ଡଫଲ ସମୟରେ ଘଣ୍ଟା ପ୍ରତି ୧୦୦ରୁ ୧୧୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି।

ଏହା ପ୍ରଭାବରେ ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଭଦ୍ରକ, ଯାଜପୁର, ବାଲେଶ୍ୱର ଓ ମୟୂରଭଞ୍ଜରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ୨୫ ତାରିଖରେ ମଧ୍ୟ ଯାଜପୁର, ଭଦ୍ରକ, ପୁରୀ, ଢେଙ୍କାନାଳ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଅନୁଗୁଳ ଜିଲ୍ଲାରେ ସମାନ ପାଗ ଅନୁଭୂତ ହେବ। ଅକ୍ଟୋବର ୨୪ ଓ ୨୫ ତାରିଖରେ କେନ୍ଦ୍ରୀୟ ଓ ଉତ୍ତର ବଙ୍ଗୋପସାଗରରେ ମାଛଧରା କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିଛି। ବାତ୍ୟା ଦାନା ସ୍ଥଳଭାଗ ଛୁଇଁବା ସମୟରେ ରାଜ୍ୟର କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱରରେ ଜୁଆର ଉଠିବାର ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡିକରେ ତଳିଆ ଅଞ୍ଚଳ ଜଳମଗ୍ନ ହେବାର ସମ୍ଭାବନା ରହିଛି।