ଏନ୍ଆଇଏ ଟାର୍ଗେଟରେ ଲରେନ୍ସ ବିଷ୍ଣୋଇର ଭାଇ

ଅନମୋଲକୁ କାହିଁକି ଖୋଜୁଛି ଏନ୍ଆଇଏ

ମୁମ୍ବାଇ, ୨୫/୧୦: ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ଟାର୍ଗେଟରେ କୁଖ୍ୟାତ ଅପରାଧୀ ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ ବିଷ୍ଣୋଇ। ଅନମୋଲକୁ ଧରାଇ ଦେଲେ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଦେବ ବୋଲି ଘୋଷଣା କଲା ଏନ୍ଆଇଏ। ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇଙ୍କ ଭାଇ ଅନମୋଲ ବିଷ୍ଣୋଇ ଉପରେ ଏନ୍ଆଇଏ ୧୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛି। ଏବେ ଅନମୋଲ ବିଷ୍ଣୋଇକୁ ଖୋଜିବାରେ ଲାଗି ପଡିଛି ଏନ୍ଆଇଏ।

୨୦୨୨ ମେ ୨୯ ତାରିଖରେ ପଞ୍ଜାବୀ କଣ୍ଠଶିଳ୍ପୀ ତଥା ରାଜନେତା ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ଅନମୋଲ ଅସ୍ତ୍ରଶସ୍ତ୍ର ଓ ଲଜିଷ୍ଟିକ୍ ସହାୟତା ପ୍ରଦାନ କରିଥିଲା। ସେହିପରି ଗତ ଏପ୍ରିଲ ମାସରେ ଅନମୋଲ ଅଭିନେତା ସଲମାନ ଖାନଙ୍କ ଘର ବାହାରେ ହୋଇଥିବା ଗୁଳିକାଣ୍ଡ ନେଇ ସେ ନିଜେ ଦାୟୀ ଥିବା ଫେସବୁକରେ କହିଥିଲା। ଏହି ସବୁ ଘଟଣାରେ ଏନ୍ଆଇଏ ଅନମୋଲକୁ ଖୋଜିବା ଆରମ୍ଭ କରିଛି।

ଏଯାଏଁ ଅନମୋଲ ନାଁରେ ୧୮ଟି ମାମଲା ରହିଛି। ଯେଉଁଥିରେ ଦାଦାବଟି ଆଦାୟ ଭଳି ମାମଲା ମଧ୍ୟ ରହିଛି। ତଦନ୍ତରୁ ଜଣା ପଡ଼ିଛି, ସେ ନକଲି ପାସପୋର୍ଟରେ ଭାରତରୁ ପଳାୟନ କରିଛି। କାନାଡା କିମ୍ବା ଆମେରିକାରେ ରହୁଛି। ବର୍ତ୍ତମାନ ଲରେନ୍ସ ଜେଲରେ ଥିବା ବେଳେ ଅନମୋଲ ବିଦେଶରେ ରହି ଭାରତରେ ବିଷ୍ଣୋଇ ଗ୍ୟାଙ୍ଗକୁ ଚଳାଉଛି।

ଗତବର୍ଷ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ମୋଷ୍ଟ ୱାଣ୍ଟେଡ଼ ତଥା କୁଖ୍ୟାତ ଗ୍ୟାଙ୍ଗଷ୍ଟର ତାଲିକା ପ୍ରସ୍ତୁତ କରାଯାଇଥିଲା। ଏଥିରେ ଅନମୋଲର ନାମ ରହିଥିଲା। ଏହା ପରେ ଏନଆଇଏ ଲରେନ୍ସ ଓ ଅନମୋଲ ସମେତ ୧୪ ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା।

ଅନମୋଲ ବିଷ୍ଣୋଇ ଅନେକ ଅପରାଧିକ କାର୍ଯ୍ୟକଳାପ ସହିତ ଜଡ଼ିତ ଅଛି। ନିଷିଦ୍ଧ ଆତଙ୍କବାଦୀ ସଂଗଠନ ବାବର ଖାଲସା ଇଣ୍ଟରନ୍ୟାସନାଲ ଏବଂ ଲରେନ୍ସ ବିଷ୍ଣୋଇ କ୍ରାଇମ ସିଣ୍ଡିକେଟର ମିଳିତ ଅପରାଧିକ କାର୍ଯ୍ୟକଳାପରେ ଚଢାଉ କରିବା ପରେ ଦେଶର ବିଭିନ୍ନ ସ୍ଥାନରୁ ବେଆଇନ ଅସ୍ତ୍ରଶସ୍ତ୍ର, ଗୁଳିଗୋଳା, ନଗଦ ୪ ଲକ୍ଷ ୬୦ ହଜାର ଟଙ୍କା ଓ ବିଭିନ୍ନ କାଗଜପତ୍ର ଜବତ କରାଯାଇଥିଲା। ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ମାମଲାରେ ଖୋଳତାଡ଼ କରିବା ବେଳେ ଏନ୍ଆଇଏ ହାତରେ ଏ ସବୁ ଧରା ପଡିଥିଲା।