‘ବାତ୍ୟା “ଦାନା” ପରିଚାଳନାରେ ସରକାର ସମ୍ପୂର୍ଣ୍ଣ ଭାବେ ସଫଳ’

ପ୍ରଭାବିତ ହୋଇଛି ୮୩୧୭ ଗ୍ରାମ: ରାଜସ୍ୱ ମନ୍ତ୍ରୀ

ଭୁବେନେଶ୍ଵର, ୨୭/୧୦: ବାତ୍ୟା ‘ଦାନା’ର ପରବର୍ତୀ ସମୟରେ ବର୍ଷାର ପରିମାଣ କମିଥିବା ବେଳେ ଏବେ ପାଗ ବଦଳିଛି । ବାତ୍ୟା ପ୍ରଭାବିତ ଜିଲ୍ଲା ଗୁଡିକରେ ଜୀବନ ଯାତ୍ରା ସ୍ଵ।ଭାବିକ ହେଲାଣି। ରାସ୍ତା ସଫା ହେଇ ଗମନ। ଗମନ ବ୍ୟବସ୍ତା ସୁଧାର ଆସିବା ସହ ବିଦ୍ୟୁତ ସରବରାହ ଓ ପୁନଃ ସଂଯୋଗ କାର୍ଯ୍ୟ ପ୍ରାୟତଃ ଶେଷ ହୋଇଛି ।

ବାତ୍ୟା ପ୍ରଭାବରେ ଅନୁଗୁଳ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ନୟାଗଡ, କଟକ ଓ ଢେଙ୍କାନାଳ ଆଦି ୧୪ଟି ଜିଲ୍ଲା ପ୍ରଭାବିତ ହେଇଛି । ଏଥିରେ ୧୦୮ ଟି ବ୍ଲକର ୧୬୭୧ଟି ଗ୍ରାମପଞ୍ଚାୟତ ଓ ୮୩୧୭ ଗ୍ରାମ ପ୍ରଭାବିତ ହୋଇଥିବା ବେଳେ, ୩୧ଟି ସହରାଞ୍ଚଳର ୪୨୬ ଟି ୱାର୍ଡର ୩୫,୯୫,୦୧୫ ଜନସାଧାରଣ ପ୍ରଭାବିତ ହୋଇଛନ୍ତି ।

ବର୍ତ୍ତମାନ ସୁଦ୍ଧା ପ୍ରାୟ ୮ଲକ୍ଷ ୧୦ହଜାର ୮୯୬ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ସେମାନଙ୍କୁ ନିରାପଦ ଆଶ୍ରୟସ୍ଥଳୀରେ ରଖାଯାଇ ରନ୍ଧା ଖାଦ୍ୟ ଦିଆଯାଉଛି । ବାତ୍ୟା ସମୟରେ ୬୨୧୦ ଆଶ୍ରୟସ୍ଥଳୀ ଖୋଲାଯାଇଥିବା ବେଳେ ସେଥି ମଧ୍ୟରୁ ବର୍ତମାନ ୧୧୭୮ଟି କାର୍ଯକ୍ଷମ ଅଛି । ସେଠାରେ ଲୋକମାନଙ୍କୁ ରନ୍ଧା ଖାଦ୍ୟ ଦିଆଯାଉଛି। ଏହି ବ୍ୟବସ୍ଥା ଆଗାମୀ ସାତ ଦିନ ପର୍ଯ୍ୟନ୍ତ ଚାଲୁ ରହିବ ।

ଏବେ ସୁଦ୍ଧା ୨୩୨୨ କୁଇଣ୍ଟାଲ ଚୁଡା ଓ ୨୯୭ କୁଇଣ୍ଟାଲ ଗୁଡ ଓ ୭୫୫ ପ୍ୟାକେଟ ପଲିଥିନ ରୋଲ ରିଲିଫ୍ ଆକାରରେ ବଣ୍ଟା ଯାଇଛି । ଲଗାଣ ବର୍ଷା ଯୋଗୁଁ ୬୫୯୮୪୨ରୁ ଅଧିକ ଗୃହପାଳିତ ପଶୁ ପ୍ରଭାବିତ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ୩୩୫ ଟି ଡାକ୍ତରୀ ଦଳ ଓ ୨୦୧ଟି ପଶୁଚିକିତ୍ସକ ଦଳ ନିୟୋଜିତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ୧୨୫୦୯୧.୭ ହେକ୍ଟର ଚାଷ ଜମି ଓ ୫୮୩୯ଟି ଘର କ୍ଷତିଗ୍ରସ୍ତ ହୋଇଛି ।

ବାତ୍ୟାଦ୍ଵାରା କୁଡିଆ ଘର, ମାଟିଘର, ଓ ଚାଳଘର ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିବାରୁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ପକ୍କାଘର ଯୋଗାଇ ଦେବା ପାଇଁ ବ୍ୟବସ୍ଥା ଆରମ୍ଭ ହୋଇଛି । ସ୍ଵତନ୍ତ୍ର ରିଲିଫ କମିଶନର ସମସ୍ତ ବିଭାଗର ସଚିବ ଓ ୧୪ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ନଭେମ୍ବର ୨ ତାରିଖ ସୁଦ୍ଧା ବାତ୍ୟା ଜନିତ କ୍ଷୟକ୍ଷତିର ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ବାତ୍ୟା ସମୟରେ ସରକାରଙ୍କର ବିଭିନ୍ନ ବିଭାଗ ମଧ୍ୟରେ ସୁସମନ୍ଵୟ ରକ୍ଷା କରି କାର୍ଯ୍ୟ କରିବା ଫଳରେ ବାତ୍ୟାର ସଫଳ ପରିଚାଳନା ସମ୍ଭବ ହୋଇ ପାରିଲା । ସବୁଠାରୁ ଉଲ୍ଲେଖନୀୟ ଘଟଣା ହେଉଛି ‘ଶୂନ ମୃତ୍ୟୁହାର’ ବୋଲି ରାଜସ୍ଵ ଓ ବିପର୍ଜୟ ପରିଚାଳନା ମନ୍ତୀ ଶ୍ରୀ ସୁରେଶ ପୂଜାରୀ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।