ସରକାରୀ ଅର୍ଥ ଆତ୍ମସାତ

ମାହାଙ୍ଗା ବରାହୀପୁର ସରପଞ୍ଚ ନିଲମ୍ବିତ

କଟକ, ୨୭/୧୦: କଟକ ମାହାଙ୍ଗା ବ୍ଲକ ଅନ୍ତର୍ଗତ ବରାହୀପୁର ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର। ସରକାରୀ ପାଣ୍ଠିରୁ ୨ ଲକ୍ଷ ୭ ହଜାର ୨୪୮ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ସରପଞ୍ଚ ରସ୍ମିତା ସ୍ୱାଇଁଙ୍କ ବିରୋଧରେ ପଞ୍ଚାୟତିରାଜ ନିର୍ଦ୍ଦେଶକ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସରକାରୀ ଅର୍ଥ ହେରଫେର ନେଇ କଟକ ଜିଲ୍ଲାପାଳ ରିପୋର୍ଟ ଦେବା ପରେ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ସୂଚନାନୁସାରେ, ୨୦୨୨-୨୩ ଆର୍ଥିକ ବର୍ଷରେ ରଶ୍ମିତା ୧ ଲକ୍ଷ ୩୫ ହଜାର ଟଙ୍କାରେ ଦୁଇଟି ଏସି କିଣି ୨୦,୨୪୮ ଟଙ୍କାରେ ତା’ର ବିଦ୍ୟୁତୀକରଣ, ରାଧେଶ୍ୟାମ ସ୍କୁଲ ଉଚ୍ଛେଦ ପାଇଁ ୪୮,୦୦୦ ଟଙ୍କା ଓ ଏସି ପରିବହନ ପାଇଁ ୪,୦୦୦ ଟଙ୍କା ସମେତ ବିଭିନ୍ନ ଉଦ୍ଦେଶ୍ୟରେ ପାଣ୍ଠିର ଅପବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ଓଡ଼ିଶା ଗ୍ରାମ ପଞ୍ଚାୟତ ଅଧିନିୟମ, ୧୯୬୪ର ଧାରା ୧୧୫(୨) ଅନୁଯାୟୀ ନିଲମ୍ବନ ଆଦେଶ ଜାରି କରାଯାଇଛି।