ସ୍କ୍ରବ ଟାଇଫସ୍ ଆତଙ୍କ

ପୁଣି ଜଣଙ୍କର ମୃତ୍ୟୁ

ସୁବର୍ଣ୍ଣପୁର, ୦୧/୧୧: ପୁଣି ଆତଙ୍କ ଖେଲାଇଛି ସ୍କ୍ରବ ଟାଇଫସ୍। ସୁବର୍ଣ୍ଣପୁରର ଜଣେ ଚାଷୀ ସ୍କ୍ରବ ଟାଇଫସରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ମୃତ କୃଷକ ଜଣକ ହେଲେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ଅଖିଦାଦ ଗ୍ରାମର ଚାଷୀ ଲେକ୍ରୁ ସାହୁ (୫୮)। ପରିବାର ଲୋକେ ତାଙ୍କୁ ପ୍ରଥମେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ସମଲେଶ୍ୱରୀ ଘରୋଇ ନର୍ସିଂହୋମକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ୧୧ ଦିନ ଧରି ଚିକିତ୍ସିତ ହେବା ପରେ ଆଜି ତାଙ୍କର ମୃତ୍ୟୁ ଘଟିଛି।

ସ୍କ୍ରବ ଟାଇଫସ୍ ପୋକ ଦ୍ୱାରା ବ୍ୟାପିଥାଏ। ସଂକ୍ରମିତ ପୋକ ମଣିଷକୁ କାମୁଡ଼ି ଦେବା ଦ୍ୱାରା ଏହି ରୋଗ ବ୍ୟାପିଥାଏ। ତୁରନ୍ତ ଏହାର ଚିକିତ୍ସା ନକଲେ ଏହି ରୋଗ ମାରାତ୍ମକ ହୋଇଯାଏ। ସ୍କ୍ରବ ଟାଇଫସରେ ସଂକ୍ରମିତ ରୋଗୀଙ୍କ ଲକ୍ଷଣ ସାଧାରଣ ଭଳି ମନେ ହୁଏ। ଯେପରିକି ଜ୍ୱର ଏବଂ ଥଣ୍ଡା, ମୁଣ୍ଡ ବିନ୍ଧା ଓ ଶରୀର ପୀଡା ହୋଇଥାଏ। ଯାହାକୁ ସ୍କ୍ରବ ଟାଇଫସ୍ ବୋଲି ଚିହ୍ନଟ କରିବା ସେତେ ସହଜ ହୋଇନଥାଏ। ସାଧାରଣତଃ ମାଟିରେ ଚିଗର ନାମକ ଏକ ସଂକ୍ରମିତ ପୋକ ରହିଥାଏ। ଚାଷୀ ମାନେ ଏହାର ସଂସ୍ପର୍ଶରେ ଆସିବା ପରେ ଏହି ପୋକ କାମୁଡି ଦେଇଥାଏ। ଦକ୍ଷିଣ ପୂର୍ବ ଏସିଆ, ଇଣ୍ଡୋନେସିଆ, ଚାଇନା, ଜାପାନ, ଭାରତୀୟ ଉପମହାଦେଶ ଏବଂ ଉତ୍ତର ଅଷ୍ଟ୍ରେଲିଆର ଗ୍ରାମାଞ୍ଚଳରେ ସ୍କ୍ରବ୍ ଟାଇଫସ ଅଧିକ ଦେଖାଯାଏ।