ଭୁବନେଶ୍ବରରେ ହେବ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟର ଆଞ୍ଚଳିକ ଶାଖା

ନାଟକ ଓ ଅଭିନୟ କ୍ଷେତ୍ରରେ ଭବିଷ୍ୟତ ଗଢିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ

ଭୁବନେଶ୍ବର, ୦୧/୧୧: ଭୁବନେଶ୍ୱରରେ ଖୁବ ଶୀଘ୍ର ପ୍ରତିଷ୍ଠା ହେବାକୁ ଯାଉଛି ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ ବା ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମା (ଏନ୍ଏସଡି)ର ଆଞ୍ଚଳିକ ଶାଖା। ରାଜ୍ୟରେ ଏନ୍ଏସଡିର ଆଞ୍ଚଳିକ ଶାଖା ପ୍ରତିଷ୍ଠା କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିକଟରେ ପ୍ରସ୍ତାବ ଦେଇଥିଲେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ। ଏବେ ଏହାକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି ବୋଲି ସୂଚନା ମିଳିଛି।

ପ୍ରାଥମିକ ପର୍ଯ୍ୟାୟରେ ଏହା ଭୁବନେଶ୍ୱରସ୍ଥିତ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଅସ୍ଥାୟୀ ଭାବେ କାର୍ଯ୍ୟ କରିବ ବୋଲି କହିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ। ମନ୍ତ୍ରୀ କହିଛନ୍ତି, ଓଡ଼ିଆ ନାଟକରେ ପୁରାଣ କାଳରୁ ବର୍ତ୍ତମାନ ପର୍ଯ୍ୟନ୍ତ ଓଡ଼ିଶାର ସମୃଦ୍ଧ ଇତିହାସ, ସାହିତ୍ୟ, କଳା ଓ ସଂସ୍କୃତିକୁ ନାଟକ କଳା ମାଧ୍ୟମରେ ଉପସ୍ଥାପନ କରାଯାଇଛି। ଆଗକୁ ଓଡ଼ିଆ ନାଟ୍ୟକୁ ପ୍ରୋତ୍ସାହିତ କରିବା ଓ ପ୍ରଚାର ପ୍ରସାର କରିବା, ଓଡିଶାର ପାରମ୍ପରିକ କାହାଣୀ ଓ ସଂସ୍କୃତିକୁ ବିଶ୍ବସ୍ତରରେ ନେଇ ପହଞ୍ଚାଇବାରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ନାଟ୍ୟ ବିଦ୍ୟାଳୟ।

ନାଟ୍ୟ ଓ ଅଭିନୟ କ୍ଷେତ୍ରରେ ଭବିଷ୍ଯତ ଗଢ଼ିବାକୁ ଇଚ୍ଛୁକ ଛାତ୍ରଛାତ୍ରୀଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ପ୍ରଦାନ କରିବ। ଏନ୍ଏସଡିର ଭୁବନେଶ୍ୱର ଆଞ୍ଚଳିକ ଶାଖା ଉଚ୍ଚମାନର ପ୍ରଶିକ୍ଷଣ ପ୍ରଦାନ କରିବ, ଯାହା ଦ୍ୱାରା ଛାତ୍ରଛାତ୍ରୀମାନେ ନାଟ୍ୟ ପରିବେଷଣ ମାଧ୍ୟମରେ ଜାତୀୟ ଓ ଅନ୍ତର୍ଜାତୀୟ ପ୍ଲାଟଫର୍ମରେ ଓଡ଼ିଶାର ପ୍ରତିନିଧିତ୍ୱ କରିପାରିବେ ବୋଲି ମନ୍ତ୍ରୀ କହିଛନ୍ତି।

ପ୍ରକାଶ ଥାଉକି, ୧୯୫୯ ମସିହାରେ ଦିଲ୍ଲୀରେ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ ବା ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମା ପ୍ରତିଷ୍ଠା ହୋଇଥିଲା। ଏହା ୧୯୭୫ ମସିହାରୁ ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଏକ ସ୍ୱୟଂଶାସିତ ଅନୁଷ୍ଠାନ ଭାବେ କାର୍ଯ୍ୟ କରି ଆସୁଛି। ବିଶିଷ୍ଟ ଅଭିନେତା ପରେଶ ରାଓ୍ଵଲ ବର୍ତ୍ତମାନ ଏହାର ଅଧ୍ୟକ୍ଷ ଥିବା ବେଳେ ବିଶିଷ୍ଟ ଓଡ଼ିଆ ଅଭିନେତା ଚିତ୍ତରଞ୍ଜନ ତ୍ରିପାଠୀ ଏହାର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି।