ବିଶିଷ୍ଟ ଅର୍ଥନୀତିଜ୍ଞ ପଦ୍ମଶ୍ରୀ ବିବେକ ଦେବରାୟଙ୍କ ପରଲୋକ
୨୦୧୫ରୁ ୨୦୧୯ ପର୍ଯ୍ୟନ୍ତ ନୀତି ଆୟୋଗର ସଦସ୍ୟ ରହିଥିଲେ।
ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦର ଅଧ୍ୟକ୍ଷ ଥିଲେ
ନୂଆଦିଲ୍ଲୀ, ୦୧/୧୧: ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆର୍ଥିକ ପରାମର୍ଶଦାତା ପରିଷଦର ଅଧ୍ୟକ୍ଷ ପଦ୍ମଶ୍ରୀ ବିବେକ ଦେବରାୟଙ୍କର ପରଲୋକ ଘଟିଛି। ଶୁକ୍ରବାର ୬୯ ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି ଶ୍ରୀ ଦେବରାୟ। ଶ୍ରୀ ଦେବରାୟଙ୍କ ବିୟୋଗରେ ଅତ୍ୟନ୍ତ ମର୍ମାହତ ହୋଇ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ତାଙ୍କର ଶିକ୍ଷାଗତ ଯୋଗ୍ୟତା ହାସଲ ପରେ ସେ ୧୯୮୭ ପର୍ଯ୍ୟନ୍ତ ପୁଣେର ଗୋଖଲେ ଇନଷ୍ଟିଚ୍ୟୁଟ୍ ଅଫ୍ ପଲିଟିକ୍ସ ଆଣ୍ଡ ଇକୋନୋମିକ୍ସର କୁଳପତି ଭାବରେ କାର୍ଯ୍ୟ କରିଥିଲେ। ଏହା ପରେ ୧୯୯୩ ପର୍ଯ୍ୟନ୍ତ ଦିଲ୍ଲୀର ଇନଷ୍ଟିଚ୍ୟୁଟ୍ ଅଫ୍ ଫରେନ୍ ଟ୍ରେଡରେ କାର୍ଯ୍ୟ କରିଥିଲେ। ୧୯୯୩ରେ ସେ ଅର୍ଥ ମନ୍ତ୍ରଣାଳୟ ଏବଂ ଜାତିସଂଘ ବିକାଶ କାର୍ଯ୍ୟକ୍ରମ (ୟୁଏନଡିପି)ର ନିର୍ଦ୍ଦେଶକ ହୋଇଥିଲେ। ୧୯୯୪ରୁ ୧୯୯୫ ପର୍ଯ୍ୟନ୍ତ ଅର୍ଥନୈତିକ ବ୍ୟାପାର ବିଭାଗରେ କାର୍ଯ୍ୟ କରିଥିଲେ। ୧୯୯୫ରୁ ୧୯୯୬ ପର୍ଯ୍ୟନ୍ତ ନ୍ୟାସନାଲ କାଉନସିଲ୍ ଅଫ୍ ଆପ୍ଲାଏଡ୍ ଇକୋନୋମିକ୍ ରିସର୍ଚ୍ଚରେ କାର୍ଯ୍ୟ କରିଥିଲେ। ୧୯୯୭ରୁ ୨୦୦୫ ପର୍ଯ୍ୟନ୍ତ ରାଜୀବ ଗାନ୍ଧୀ ଇନଷ୍ଟିଚ୍ୟୁଟ ଫର କଣ୍ଟେମ୍ପୋରାରୀ ଷ୍ଟଡିଜରେ କାର୍ଯ୍ୟ କରିଥିଲେ। ଏହା ପରେ ସେ ୨୦୦୬ ପର୍ଯ୍ୟନ୍ତ ପିଏଚଡି ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିରେ କାର୍ଯ୍ୟ କରିଥିଲେ ଏବଂ ପରେ ୨୦୦୭ରୁ ୨୦୧୫ ପର୍ଯ୍ୟନ୍ତ ସେଣ୍ଟର ଫର ପଲିସି ରିସର୍ଚ୍ଚରେ ଯୋଗ ଦେଇଥିଲେ। ୨୦୧୫ରୁ ଜୁନ୍ ୫, ୨୦୧୯ ପର୍ଯ୍ୟନ୍ତ ନୀତି ଆୟୋଗର ସଦସ୍ୟ ଥିଲେ।
ଭାରତୀୟ ଅର୍ଥନୈତିକ ନୀତି ଗଠନରେ ଶ୍ରୀ ଦେବରାୟଙ୍କର ବହୁ ଅବଦାନ ରହିଛି। ଭାରତର ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ଅଷ୍ଟ୍ରେଲିଆ ଇଣ୍ଡିଆ ଚାମ୍ବର ଅଫ୍ କମର୍ସ (ଏଆଇସିସି) ପକ୍ଷରୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ପ୍ରଦାନ କରାଯାଇଥିଲା। ୟୁଏସ୍-ଇଣ୍ଡିଆ ବିଜନେସ୍ ସମିଟ୍ ଦ୍ୱାରା ୨୦୧୬ରେ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ପ୍ରଦାନ କରାଯାଇଥିଲା। ୨୦୧୫ରେ ତାଙ୍କୁ ଭାରତର ଚତୁର୍ଥ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମଶ୍ରୀ ପ୍ରଦାନ କରାଯାଇଥିଲା। ଅନେକ ପୁସ୍ତକ ଓ ପ୍ରବନ୍ଧ ରଚନା ଓ ସମ୍ପାଦନା କରିଥିଲେ ଏବଂ ଏକାଧିକ ଖବରକାଗଜର ସମ୍ପାଦକ ଭାବରେ ରହିଥିଲେ। ସେ ମହାଭାରତ ଏବଂ ଭାଗବତ ଗୀତାର ଅନୁବାଦ ପାଇଁ ମଧ୍ୟ ଜଣାଶୁଣା ଥିଲେ। ସେ ଭଗବତ୍ ଗୀତା,ହରିବଂଶ, ବେଦ ଏବଂ ବାଲ୍ମିକିଙ୍କ ରାମାୟଣ ମଧ୍ୟ ଅନୁବାଦ କରିଥିଲେ। ସେ ଭାଗବତ ପୁରାଣ, ମାର୍କଣ୍ଡେୟ ପୁରାଣ, ବ୍ରହ୍ମ ପୁରାଣ ଏବଂ ବିଷ୍ଣୁ ପୁରାଣର ମଧ୍ୟ ଅନୁବାଦ କରିଛନ୍ତି।