ଦ୍ୱିତୀୟ ପ୍ରୟାସରେ ସଫଳ ହେବ ପୋସ୍କୋ

କେନ୍ଦୁଝରରେ ହେବାକୁ ଯାଉଛି ମେଗା ଷ୍ଟିଲ୍ ପ୍ଲାଣ୍ଟ

ଭୁବନେଶ୍ବର, ୦୧/୧୧: କେନ୍ଦୁଝରରେ ଜେଏସଡବ୍ଲ୍ୟୁ ଗ୍ରୁପ୍ ଓ ଦକ୍ଷିଣ କୋରିଆର ପୋସ୍କୋର ମିଳିତ ଉଦ୍ୟମରେ ଏକ ମେଗା ଇସ୍ପାତ କାରଖାନା ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଦିଲ୍ଲୀ ଓ ମୁମ୍ବାଇରେ ଅନୁଷ୍ଠିତ ଉତ୍କର୍ଷ ଓଡ଼ିଶା ୨୦୨୫ର ରୋଡ୍ ସୋ’ ସମୟରେ ଜେଏସଡବ୍ଲ୍ୟୁ ଓ ପୋସ୍କୋ ସହ ଆଲୋଚନା କରିଥିଲି। ଏ ନେଇ ଇସ୍ପାତ କାରଖାନା ସ୍ଥାପନ ପାଇଁ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି। କେନ୍ଦୁଝରରେ ମିଳିତ ଭାବେ ଏହି ପ୍ଲାଣ୍ଟ ସ୍ଥାପନ କରାଯିବ। ଦୀପାବଳି ପାଳନ ପାଇଁ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ଏହା କହିଛନ୍ତି।

ସବୁଜ ଶକ୍ତି ଉତ୍ପାଦନ ଏବଂ ଇଲେକ୍ଟ୍ରିକ୍ ଯାନ (ଇଭି) ପାଇଁ ବ୍ୟାଟେରୀ ସାମଗ୍ରୀ ଉତ୍ପାଦନ ପାଇଁ ସହଯୋଗ କରିବା ବ୍ୟତୀତ ଭାରତରେ ଏକ ସମନ୍ୱିତ ଇସ୍ପାତ କାରଖାନା ସ୍ଥାପନ କରିବାକୁ ଦୁଇ କମ୍ପାନି ମଙ୍ଗଳବାର ଘୋଷଣା କରିଥିଲେ। ଅକ୍ଟୋବର ୨୧ରେ ମୁମ୍ବାଇରେ ପୋସ୍କୋ ଅଧ୍ୟକ୍ଷ ତଥା ସିଇଓ ଚାଙ୍ଗ ଇନ-ହ୍ୱା ଏବଂ ଜେଏସଡବ୍ଲ୍ୟୁ ଗ୍ରୁପ୍ ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲଙ୍କ ଉପସ୍ଥିତିରେ ବୁଝାମଣାପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଓଡ଼ିଶାରେ ଇସ୍ପାତ କାରଖାନା ସ୍ଥାପନ ପାଇଁ ଦକ୍ଷିଣ କୋରିଆର ଇସ୍ପାତ କମ୍ପାନିର ଏହା ଦ୍ବିତୀୟ ପ୍ରୟାସ। ଏହା ପୂର୍ବରୁ ପାରାଦୀପରେ ୧୨ ନିୟୁତ ଟନ୍ ଇସ୍ପାତ କାରଖାନା ନିର୍ମାଣ ଯୋଜନାକୁ ବାତିଲ କରିବା ସହ ଜନବିରୋଧ ଓ ନିୟାମକ ପ୍ରତିବନ୍ଧକ ମଧ୍ୟରେ ପ୍ରକଳ୍ପ ପାଇଁ ଆବଣ୍ଟିତ ଜମିକୁ ହସ୍ତାନ୍ତର କରିଥିଲା।