ସୁଭଦ୍ରା ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ ଘୋଷଣା

ଚଳିତ ମାସରେ ମିଳିବ ସୁଭଦ୍ରା ଟଙ୍କା

ଭୁବନେଶ୍ବର, ୦୨/୧୧: ନଭେମ୍ବର ମାସର ଶେଷ ସପ୍ତାହ ସୁଦ୍ଧା ମିଳିବ ସୁଭଦ୍ରା ଯୋଜନାର ତୃତୀୟ ପର୍ଯ୍ୟାୟ ଟଙ୍କା। ୨୦ ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ମିଳିବ। ଆଗକୁ ଚତୁର୍ଥ ପର୍ଯ୍ୟାୟରେ ମଧ୍ୟ ଟଙ୍କା ମିଳିବ। ଏ ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। କେହି ଜଣେ ବି ଯୋଗ୍ୟ ହିତାଧିକାରୀ ବାଦ ପଡିବେନି। ବାଦ ପଡିଥିବା ୨ ଲକ୍ଷ ୬୭ ହଜାର ମହିଳା ହିତାଧିକାରୀଙ୍କୁ ସାମିଲ ପାଇଁ ପଦକ୍ଷେପ ନିଆଯିବ। ଯାହା ଅନେକାଂଶରେ କମିଯିବାର ଆଶା କରାଯାଉଛି। ଖାରଜ ହୋଇଥିବା ଆବେଦନର ପୁନଃ ଯାଞ୍ଚ ପାଇଁ ବିଡିଓଙ୍କୁ ନୋଡାଲ ଏଜେନ୍ସି ଭାବେ ଦାୟିତ୍ୱ ଦିଆଯାଇଛି। ଜିଲ୍ଲାସ୍ତରରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ନେଇ ଏକ ତିନି ଜଣିଆ କମିଟି ଗଠନ କରାଯାଇଛି। ବାଦ ପଡିଥିବା ହିତାଧିକାରୀଙ୍କୁ ଅଙ୍ଗନବାଡ଼ି କର୍ମୀଙ୍କ ଜରିଆରେ ଅବଗତ କରାଯିବ। ଜମି ଭିତ୍ତିରେ ବାଦ ପଡିଥିବା ହିତାଧିକାରୀଙ୍କୁ ତହସିଲଦାର ଓ ଆରଆଇ ପୁନଃ ଯାଞ୍ଚ କରିବେ। ଡିସେମ୍ବର ଶେଷ ସୁଦ୍ଧା କୋଟିଏରୁ ଉର୍ଦ୍ଧ୍ଵ ମହିଳାଙ୍କ ପାଖରେ ପହଞ୍ଚିବ ସୁଭଦ୍ରା ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିବା ବେଳେ ୧୭ ତାରିଖରେ ପ୍ରଥମ ପର୍ଯ୍ୟାୟ ଓ ଅକ୍ଟୋବର ୯ରେ ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ମିଳିଥିଲା। ଦୁଇଟି ପର୍ଯ୍ୟାୟରେ ୬୦ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ପଠା ଯାଇଥିଲା।