ଭିଜିଲାନ୍ସ ଜାଲରେ ଖୋର୍ଦ୍ଧା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କନିଷ୍ଠ ସହାୟକ
ଲାଞ୍ଚ ନେଇ ଗିରଫ ହେଲେ ପ୍ରଦୀପ୍ତ ସାହୁ
ଭୁବନେଶ୍ୱର,୧୩/୧୧: ଭିଜିଲାନ୍ସ ଜାଲରେ ଫସିଛନ୍ତି ଖୋର୍ଦ୍ଧା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କନିଷ୍ଠ ସହାୟକ ପ୍ରଦୀପ୍ତ କୁମାର ସାହୁ। ୬ ହଜାର ଟଙ୍କା ଲାଞ୍ଚ ମାଗିବା ଓ ନେବା ଅଭିଯୋଗରେ ପ୍ରଦୀପ୍ତ କୁମାର ସାହୁଙ୍କୁ ଭିଜିଲାନ୍ସ ଗିରଫ କରିଛି।
ଜଣେ ଅବସରପ୍ରାପ୍ତ ପ୍ରାଥମିକ ବିଦ୍ୟାଳୟ ଶିକ୍ଷୟତ୍ରୀଙ୍କ ବକେୟା ପ୍ରାପ୍ୟର ବିଲ କରାଇବାକୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ଧରିଲା ଭିଜିଲାନ୍ସ। ପଲା କୋଣାର୍କ ନଗରର ବିଜୟିନୀ ତ୍ରିପାଠୀ ନାମକ ଜଣେ ଶିକ୍ଷୟିତ୍ରୀ ୨୦୧୮ ମସିହାରୁ ଅବସର ନେଲେଣି। ତାଙ୍କ ଅବସରକାଳୀନ ପ୍ରାପ୍ୟ ବାବଦକୁ ୫ ଲକ୍ଷ ୬୬ ହଜାର ଟଙ୍କାର ବକେୟା ବିଲ କରାଇବାକୁ ପ୍ରଦୀପ୍ତ ଲାଞ୍ଚ ମାଗିଥିଲେ। ତେବେ ସର୍ତ୍ତ ମୁତାବକ ସେ ୬ ହଜାର ଟଙ୍କା ଲାଞ୍ଚ ନେଇଥାନ୍ତେ। ଏ ନେଇ ଭିଜିଲାନ୍ସରେ ଅଭିଯୋଗ କରିବା ପରେ ଭିଜିଲାନ୍ସ ଜାଲ ବିଛାଇଥିଲା। ପ୍ରଦୀପ୍ତ ଟଙ୍କା ନେଉଥିଲା ବେଳେ ତାଙ୍କୁ ଗିରଫ କରିବା ସହ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତିର ତଦନ୍ତ ପାଇଁ ଭିଜିଲାନ୍ସ ତାଙ୍କ ସହ ଜଡ଼ିତ ଏକ ସ୍ଥାନରେ ଚଢ଼ଉ ଜାରି ରଖିଛି।