ଡୋନାଲ୍ଡ ଟ୍ରମ୍ପଙ୍କ ସରକାରରେ ଭାରତୀୟ ବଂଶଜ ଓ ଏଲନ ମସ୍କ

ଡିଓଜିଇ ର ନେବେ ଦାୟିତ୍ୱ

ନୂଆଦିଲ୍ଲୀ, ୧୩/୧୧: ଆମେରିକାରେ ଡୋନାଲ୍ଡ ଟ୍ରମ୍ପଙ୍କ ନେତୃତ୍ୱାଧୀନ ସରକାରରେ ସ୍ଥାନ ପାଇଛନ୍ତି ଭାରତୀୟ ବଂଶଜ ବିବେକ ରାମାସ୍ୱାମୀ ଓ ଟେସଲା ସିଇଓ ଏଲନ୍ ମସ୍କ। ଉଭୟ ‘ଡିପାର୍ଟମେଣ୍ଟ ଅଫ ଗଭର୍ଣ୍ଣମେଣ୍ଟ ଏଫିସିଏନ୍ସି’ର ନେତୃତ୍ୱ ନେବେ ବୋଲି ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି।

ଡୋନାଲ୍ଡ ଟ୍ରମ୍ପଙ୍କ ନେତୃତ୍ବାଧୀନ ନୂଆ ଆମେରିକା ସରକାରରେ ଡିପାର୍ଟମେଣ୍ଟ ଅଫ ଗଭର୍ଣ୍ଣମେଣ୍ଟ ଏଫିସିଏନ୍ସି ଏକ ନୂଆ ବିଭାଗ। ଏହା ପ୍ରଥମେ ମସ୍କଙ୍କ ଦ୍ୱାରା ପ୍ରସ୍ତାବିତ ହୋଇଥିଲା ଏବଂ ସରକାରୀ ଅମଲାତନ୍ତ୍ରକୁ ହ୍ରାସ କରିବାର ଏକ ଉପାୟ ଭାବରେ ଟ୍ରମ୍ପ ଏହାକୁ ସମର୍ଥନ କରିଥିଲେ। ଏହି ବିଭାଗ ‘ଡିଓଜିଇ’ ନାମକ ସଂକ୍ଷିପ୍ତ ନାମରେ ପରିଚାଳିତ ହୋଇଥାଏ।

ଏହି ବିଭାଗ କିପରି କାର୍ଯ୍ୟ କରିବ ତାହା ସ୍ପଷ୍ଟ ହୋଇନଥିବା ବେଳେ ଟ୍ରମ୍ପଙ୍କ କହିବା ଅନୁଯାୟୀ, ଏହି ବିଭାଗ ଅଧୀନରେ ଥିବା ମସ୍କ ଏବଂ ରାମାସ୍ୱାମୀଙ୍କ ମିଶନ ହେବ ସରକାରୀ ଅମଲାତନ୍ତ୍ରକୁ ଉଚ୍ଛେଦ କରିବା, ଅତିରିକ୍ତ ନିୟମକୁ ହ୍ରାସ କରିବା, ଅଯଥା ଖର୍ଚ୍ଚ ହ୍ରାସ କରିବା ଏବଂ ସଂଘୀୟ ଏଜେନ୍ସିଗୁଡ଼ିକର ପୁନର୍ଗଠନ କରିବା।

ଏକ ବିବୃତ୍ତିରେ ଟ୍ରମ୍ପ କହିଛନ୍ତି ଯେ ୫୩ ବର୍ଷୀୟ କୋଟିପତି ମସ୍କ ଏବଂ ୩୯ ବର୍ଷୀୟ ପୂର୍ବତନ ରିପବ୍ଲିକାନ୍ ରାଷ୍ଟ୍ରପତି ପ୍ରାର୍ଥୀ ରାମାସ୍ୱାମୀ ହ୍ୱାଇଟ୍ ହାଉସକୁ ‘ପରାମର୍ଶ ଏବଂ ମାର୍ଗଦର୍ଶନ’ ପ୍ରଦାନ କରିବା ପାଇଁ ସରକାର ବାହାରୁ କାମ କରିବେ, ପରିଚାଳନା ଏବଂ ବଜେଟ୍ କାର୍ଯ୍ୟାଳୟ ସହିତ ଭାଗିଦାରୀ କରି ବଡ଼ ଧରଣର ଢାଞ୍ଚାଗତ ସଂସ୍କାର ଆଣିବେ।