ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ହେଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ
୫ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଭୋଗିବେ ଦୋଷୀ
ଭୁବନେଶ୍ୱର, ୧୩/୧୧: ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନିଯୁକ୍ତି ପରୀକ୍ଷା ସଂକ୍ରାନ୍ତରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ପରୀକ୍ଷାରେ ଅନିୟମିତତା ରୋକିବା ପାଇଁ ଓଡ଼ିଶା ପବ୍ଲିକ ପରୀକ୍ଷା (ଅନ୍ୟାୟ ଉପାୟ ନିବାରଣ) ଆଇନ ୨୦୨୪କୁ କ୍ୟାବିନେଟ୍ ଅନୁମୋଦନ କରିଛି। ସରକାରୀ ଚାକିରିରେ ନିଯୁକ୍ତି ପ୍ରକ୍ରିୟାରେ କୌଣସି ପ୍ରକାର ଅନିୟମିତତା ହେଲେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା କଲେ ଦୋଷୀଙ୍କୁ ୩ରୁ ୫ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଏବଂ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ। ସେହିପରି ପରୀକ୍ଷା କରୁଥିବା ସର୍ଭିସ୍ ପ୍ରୋଭାଇଡରଙ୍କ ଠାରୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବା ସହ ଆନୁପାତିକ ପରୀକ୍ଷା ଖର୍ଚ୍ଚ ମଧ୍ୟ ଆଦାୟ କରାଯିବ। ଏହି ନିୟମ ଓପିଏସସି, ଓଏସଏସସି, ଓଏସଏସଏସସି, ଏସଏସବି, ଓପିଏସବି ଅଧିନରେ ହେଉଥିବା ପରୀକ୍ଷା ପାଇଁ ଲାଗୁ ହେବ।