ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ଆଗୁଆ ଜାମିନ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ସର୍ବସାଧାରଣ ସ୍ଥାନରେ ଜନ ପ୍ରତିନିଧିଙ୍କ ବ୍ୟବହାର ଉଦାହରଣ ସାଜିବା ଉଚିତ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୧୪/୧୧: ରାଜ୍ୟ ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ଆଗୁଆ ଜାମିନ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ସମ୍ବଲପୁରରେ ବିକ୍ଷୋଭ ପ୍ରଦର୍ଶନ ବେଳେ ଜଣେ ମହିଳା ଅଧିକାରୀଙ୍କୁ ଚାପୁଡ଼ା ମାରିବା ମାମଲାରେ ଏହି ଜାମିନ ଆବେଦନ କରାଯାଇଥିଲା। ସର୍ବସାଧାରଣ ସ୍ଥାନରେ ଜନ ପ୍ରତିନିଧିଙ୍କ ବ୍ୟବହାର ଶୋଭନୀୟ ହେବା ଉଚିତ୍। ନେତାଙ୍କ ବ୍ୟବହାର ସମାଜ ପ୍ରତି ଉଦାହରଣ ହେବା ଉଚିତ୍ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସୁପ୍ରିମ୍ କୋର୍ଟରେ ଜଷ୍ଟିସ୍ ହୃଷିକେଶ ରାୟ ଓ ଜଷ୍ଟିସ୍ ଏସ୍ ଭିଏନ୍ ଭଟ୍ଟିଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଆଜି ଶୁଣାଣି ହୋଇଛି।

ସୂଚନା ଅନୁଯାୟୀ, ୨୦୨୩ ଫେବ୍ରୁଆରୀ ୧୫ ତାରିଖରେ ସମ୍ବଲପୁରର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ପକ୍ଷରୁ ଆନ୍ଦୋଳନ ଚାଲୁଥିବା ସମୟରେ ବିଧାୟକ ଶ୍ରୀ ମିଶ୍ର ଓ ଜଣେ ମହିଳା ପୁଲିସ ଅଧିକାରୀଙ୍କ ମଧ୍ୟରେ ଯୁକ୍ତିତର୍କ ଓ ପରେ ଧସ୍ତାଧସ୍ତି ହୋଇଥିଲା। ଅଭିଯୋଗ ମୁତାବକ ଶ୍ରୀ ମିଶ୍ର ଧନୁପାଲି ଥାନାର ତତ୍କାଳୀନ ଆଇଆଇସି ଅନିତା ପ୍ରଧାନଙ୍କୁ ଚାପୁଡ଼ା ମାରିଥିଲେ। ଏ ନେଇ ସମ୍ବଲପୁର ଟାଉନ ଥାନାରେ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ବିଜେପି ନେତା ଓଡ଼ିଶା ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିବା ବେଳେ ମାନ୍ୟବର ହାଇକୋର୍ଟ ତାଙ୍କ ଆବେଦନ ଖାରଜ କରି ଦେଇଥିଲେ। ଯାହା ପରେ ବିଧାୟକ ଶ୍ରୀ ମିଶ୍ର ଆଗୁଆ ଜାମିନ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।