ନୂଆଦିଲ୍ଲୀ, ୧୪/୧୧: ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ ‘ଗମ୍ଭୀର’ ସ୍ତରରେ ପହଞ୍ଚିଛି। ବାୟୁ ପ୍ରଦୂଷଣ ଏତେ ମାତ୍ରାରେ ବଢ଼ିଛି ଯେ, ଆଜି ମୁଖ୍ୟମନ୍ତ୍ରୀ ଆତିଶୀ ରାଜଧାନୀ ଦିଲ୍ଲୀରେ ସ୍କୁଲ ଛୁଟି ଘୋଷଣା କରିଛନ୍ତି। ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍କୁଲ ବନ୍ଦ ରଖିବା ପାଇଁ ଘୋଷଣା ହୋଇଛି। ଆଗାମୀ ସୂଚନା ପର୍ଯ୍ୟନ୍ତ ଅନଲାଇନ ଯୋଗେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଠପଢା ଜାରି ରଖାଯିବ ବୋଲି ଆତିଶୀ ଘୋଷଣା କରିଛନ୍ତି।
ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (ସିଏକ୍ୟୁଏମ୍) ଦିଲ୍ଲୀରେ ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ୍ (ଜିଆରଏପି)-୩ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛି। ଏହାଦ୍ୱାରା ଦିଲ୍ଲୀର ସମଗ୍ର ଅଞ୍ଚଳରେ ନିର୍ମାଣ ବନ୍ଦ ରହିବ ଏବଂ ଆନ୍ତଃରାଜ୍ୟ ବସ୍/ଟ୍ରକ୍ ଚଳାଚଳ ପାଇଁ ଅନୁମତି ମିଳିବ ନାହିଁ। ଗୁରୁବାର ଏକ୍ୟୁଆଇ ୪୧୮ରେ ପହଞ୍ଚିଥିବା ବେଳେ ବିଭିନ୍ନ ଉତ୍ସରୁ ପ୍ରଦୂଷଣ ରୋକିବା ପାଇଁ ଏହି କଠୋର ନିୟମ ରଖାଯାଇଛି।
ଜିଆରଏପି-୩ କାର୍ଯ୍ୟକାରୀ ହେବା ପରେ ସମସ୍ତ ଅଣ-ଅତ୍ୟାବଶ୍ୟକ ନିର୍ମାଣ ଓ ଉଚ୍ଛେଦ କାର୍ଯ୍ୟ ଉପରେ ପ୍ରତିବନ୍ଧକ ଲଗାଯାଇଛି। ପେଟ୍ରୋଲ ଓ ଡିଜେଲ ଚାଳିତ ଯାନଗୁଡ଼ିକୁ ଦିଲ୍ଲୀ, ଗୁରୁଗ୍ରାମ, ଗାଜିଆବାଦ, ଫରିଦାବାଦ ଏବଂ ଗୌତମ ବୁଦ୍ଧ ନଗର ସମେତ ଏନସିଆର ର ନିର୍ଦ୍ଦିଷ୍ଟ ଅଞ୍ଚଳରେ ରାସ୍ତାରେ ଚଳାଚଳ କରିବାକୁ ବାରଣ କରାଯାଇଛି। ରାସ୍ତା ନିର୍ମାଣ ଓ ଉଚ୍ଛେଦ କାର୍ଯ୍ୟ ଉପରେ କଡ଼ା କଟକଣା ରହିବ। ବୋରିଂ ଓ ଡ୍ରିଲିଂ କାମ ଉପରେ ପ୍ରତିବନ୍ଧକ ଲଗାଯିବା ସହିତ ଡ୍ରେନେଜ୍ କାମ ଇତ୍ୟାଦିକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ନିର୍ମାଣ ସାମଗ୍ରୀ ଲୋଡିଂ ଓ ଅନଲୋଡିଂ ଓ ଖଣି ସମ୍ବନ୍ଧୀୟ କାର୍ଯ୍ୟକଳାପ ବନ୍ଦ କରିବା କରିବା ପାଇଁ କୁହାଯାଇଛି। କେବଳ ଇଲେକ୍ଟ୍ରିକ ଯାନ, ସିଏନଜି ଯାନ ଓ ଡିଜେଲ ବସ ଚଳାଚଳକୁ ଅନୁମତି ମିଳିଛି।
ସୂଚନାଯୋଗ୍ୟ, ଜିଆରଏପିର ୪ଟି ପର୍ଯ୍ୟାୟ ରହିଛି – ପ୍ରଥମ ପର୍ଯ୍ୟାୟ ଯେତେବେଳେ ଏକ୍ୟୁଆଇ ୨୦୧ରୁ ୩୦୦ ମଧ୍ୟରେ ଥାଏ, ଦ୍ୱିତୀୟ ପର୍ଯ୍ୟାୟ ଯେତେବେଳେ ଏକ୍ୟୁଆଇ ୩୦୧-୪୦୦ ହୋଇଥାଏ, ତୃତୀୟ ପର୍ଯ୍ୟାୟ ଯେତେବେଳେ ଏକ୍ୟୁଆଇ ୪୦୧-୪୫୦ ହୋଇଥାଏ ଏବଂ ଚତୁର୍ଥ ପର୍ଯ୍ୟାୟ ଯେତେବେଳେ ଏକ୍ୟୁଆଇ ୪୫୦ରୁ ୫୦୦ ମଧ୍ୟରେ ଥାଏ ।