ଭୁବନେଶ୍ୱର, ୧୫/୧୧: ଓଡ଼ିଶାର ଭୁବନେଶ୍ଵରରୁ ଦେଶର ଅନେକ ସହରକୁ ସିଧାସଳଖ ବିମାନ ଉଡାଣ କରିବା ପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର। ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଘୋଷଣା କରାଯାଇଛି।
ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଇନ୍ଦୋର, ଡେରାଡୁନ, କୋଚି, ଜୟପୁର ଓ ଲକ୍ଷ୍ନୌକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ। ସେହିପରି ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ହାଇଦ୍ରାବାଦ, ରାୟପୁର, ଲକ୍ଷ୍ନୌ ଓ ମୁମ୍ବାଇ ଭଳି ସହରକୁ ସିଧାସଳଖ ବିମାନ ଚଳାଚଳ କରିବ।
ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଦ୍ବାରା ଆଗାମୀ ଦିନରେ ରାଜ୍ୟ ସହ ବିଭିନ୍ନ ବଡ଼ ବଡ଼ ସହରର ଯୋଗାଯୋଗ ଉନ୍ନତ ମାନର ହେବା ସହ ପର୍ଯ୍ୟଟନ କ୍ଷେତ୍ର ମଧ୍ୟ ସୁଦୃଢ ହେବ।