ଭୁବନେଶ୍ୱର, ୧୬/୧୧: ବିଦେଶରୁ ବିପୁଳ ନିବେଶ ଆଣିବେ ରାଜ୍ୟ ସରକାର। ଏ ନେଇ ସିଙ୍ଗାପୁର ଗସ୍ତରେ ବାହାରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆସନ୍ତା ବର୍ଷ ଜାନୁଆରୀରେ ହେବାକୁ ଥିବା ‘ଉତ୍କର୍ଷ ଓଡ଼ିଶା: ମେକ୍ ଇନ୍ ଓଡ଼ିଶା କନ୍ କ୍ଲେଭ୍-୨୦୨୫’ ପୂର୍ବରୁ ସିଙ୍ଗାପୁର ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
ଏହା ପୂର୍ବରୁ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି, ନିବେଶକମାନେ ଯେତେବେଳେ ଭାରତରେ ନିବେଶ କରିବାକୁ ଚାହିଁବେ, ସେତେବେଳେ ଓଡ଼ିଶା ସେମାନଙ୍କର ପ୍ରଥମ ପସନ୍ଦ ହେବ। ଲଜିଷ୍ଟିକ୍ସ, ଆର୍ଥିକ ସେବା, ଖାଦ୍ୟ ପ୍ରକ୍ରିୟାକରଣ, ପେଟ୍ରୋକେମିକାଲ୍ସ, ସବୁଜ ଶକ୍ତି, ଜାହାଜ ନିର୍ମାଣ ଏବଂ ସେମିକଣ୍ଡକ୍ଟର ସମେତ ବିଭିନ୍ନ କ୍ଷେତ୍ରରେ ସିଙ୍ଗାପୁର ଦକ୍ଷତା ସମ୍ପନ୍ନ। ସିଙ୍ଗାପୁରରେ ଅନେକ ବଡ଼ ବଡ଼ କମ୍ପାନି ୟୁନିଟ୍ ସ୍ଥାପନ କରିଛନ୍ତି ତେଣୁ ଓଡ଼ିଶା ମଧ୍ୟ ଏହି ଲକ୍ଷ୍ୟ ହାସଲ ପାଇଁ ଆଶା ରଖିଛି।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓ ତାଙ୍କ ଟିମ୍ ମାଝୀ ଓ ତାଙ୍କ ଟିମ୍ ସିଙ୍ଗାପୁରର ଉପପ୍ରଧାନମନ୍ତ୍ରୀ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ସମେତ ପ୍ରମୁଖ ଅଧିକାରୀଙ୍କ ସହ ଉଚ୍ଚସ୍ତରୀୟ ବୈଠକ ଓ ଆଲୋଚନା କରିବେ। ଓଡ଼ିଶାର ଏହି ପ୍ରତିନିଧି ଦଳ ତୁଆସ୍ ବନ୍ଦର, ଜୁରୋଙ୍ଗ ପେଟ୍ରୋକେମିକାଲ କମ୍ପ୍ଲେକ୍ସ ଏବଂ ଆଇଟିଇଇଏସ୍ ସିଙ୍ଗାପୁର ଭଳି ପ୍ରତିଷ୍ଠାନ ପରିଦର୍ଶନ କରିବେ।
ମୁଖ୍ୟମନ୍ତ୍ରୀ ଏକ୍ସରେ କହିଛନ୍ତି, ଓଡ଼ିଶାକୁ ଶିଳ୍ପ ସମୃଦ୍ଧ କରିବା ନିମନ୍ତେ ଆଜି ବରିଷ୍ଠ ପ୍ରତିନିଧିଙ୍କ ସହ ସିଙ୍ଗାପୁର ଗସ୍ତ ଅଭିମୁଖେ ବାହାରିଛି। ନୂତନ ନିବେଶ ପାଇଁ ବିଶେଷକରି ସେମିକଣ୍ଡକ୍ଟର, ପେଟ୍ରୋକେମିକାଲ୍ସ, ରସାୟନ, ଜାହାଜ ନିର୍ମାଣ, ଆର୍ଥିକ ସେବା, ସବୁଜ ଶକ୍ତି, ଇଲୋକ୍ଟ୍ରୋନିକ୍ସକୁ ପ୍ରୋତ୍ସାହନ ଦେବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ।
ସିଙ୍ଗାପୁରରେ ଓଡ଼ିଶାର ସୁଦୃଢ ଶିଳ୍ପ ନୀତି ଏବଂ ନିବେଶ ପାଇଁ ଥିବା ସୁଯୋଗ ସମ୍ପର୍କରେ ଶିଳ୍ପପତିଙ୍କ ସହ ଆଲୋଚନା କରାଯିବ। ଆଗାମୀ ୫ ବର୍ଷରେ ରାଜ୍ଯରେ ମୋଟ ୫ ଲକ୍ଷ କୋଟିର ପୁଞ୍ଜି ନିବେଶ ପାଇଁ ସରକାର ଯୋଜନା କରିଛନ୍ତି।
ନିବେଶ ପାଇଁ ଓଡ଼ିଶା ସମ୍ପର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି। ଓଡ଼ିଶାକୁ ଆହୁରି ଶିଳ୍ପ ସମୃଦ୍ଧ କରିବା ପାଇଁ ଖୁବ କମ ଦିନରେ ରାଜ୍ୟରେ ‘ଉତ୍କର୍ଷ ଓଡ଼ିଶା’ ସମ୍ମିଳନୀ ଆୟୋଜନ ହେବାକୁ ଯାଉଛି। ଶିଳ୍ପ ଓ ବ୍ୟବସାୟକୁ ଅଧିକ ପ୍ରୋତ୍ସାହନ ଦେବା ସହିତ ନିଯୁକ୍ତି ସୁଯୋଗ ସୃଷ୍ଟି କରି ‘ବିକଶିତ ଓଡ଼ିଶା’ ନିର୍ମାଣ ପାଇଁ ଲୋକଙ୍କ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଏକ୍ସରେ କହିଛନ୍ତି।