ଲୋକଙ୍କ ଭଲ ପାଇବା ଆଗରେ କ୍ଷମତା ପ୍ରତିପତ୍ତି ଓ ପଦ ମର୍ଯ୍ୟାଦା ସବୁ ମୂଲ୍ୟହୀନ

ପୂର୍ବତନ ମନ୍ତ୍ରୀ ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ଜୟନ୍ତୀ ଅବସରରେ ବିରୋଧୀ ଦଳ ନେତାଙ୍କ ଅଭିଭାଷଣ

ସାଧାରଣ ଜନତାଙ୍କ ସନ୍ତୋଷ ହିଁ ରାଜନେତାଙ୍କର ସବୁଠାରୁ ବଡ଼ ସମ୍ପତ୍ତି: ନବୀନ ପଟ୍ଟନାୟକ

ଭୁବନେଶ୍ୱର ୧୭/୧୧: ଆଜି ବିଶିଷ୍ଟ ଜନ ନେତା ତଥା ପୂର୍ବତନ ମନ୍ତ୍ରୀ ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କର ଜନ୍ମ ଦିବସ ଅବସରରେ ଜୟଦେବ ଭବନରେ ଜନ୍ମବାର୍ଷିକୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯୋଗ ଦେଇଥିଲେ ବିରୋଧୀ ଦଳ ନେତା ତଥା ବିଜେଡ଼ି ସଭାପତି ଶ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ନବୀନ ଅଭିଭାଷଣରେ କହିଥିଲେ, ହରିଶ୍ଚନ୍ଦ୍ର ବକ୍ସିପାତ୍ର ଓଡ଼ିଶା ରାଜନିତୀରେ ଏକ ସ୍ୱତନ୍ତ୍ର ସ୍ଥାନର ଅଧିକାରୀ। ଛାତ୍ର ଜୀବନରୁ ତାଙ୍କର ସଂଗ୍ରମୀ ଜୀବନ ଆରମ୍ଭ ହୋଇଥିଲା। ଗରୀବ ଲୋକଙ୍କ କଲ୍ୟାଣ ପାଇଁ ସେ ସଂଗ୍ରାମ କରିଯାଇଛନ୍ତି। ଆଦିବାସୀ ଭାଇ ଭଉଣୀଙ୍କର ହକ୍ ପାଇଁ ସେ ସଂଗ୍ରାମ କରୁଥିଲେ। ଚାଷୀ ମାନଙ୍କ ସ୍ୱାର୍ଥ ପାଇଁ ସେ ସଂଗ୍ରାମ କରୁଥିଲେ ସେମାନଙ୍କୁ ଶୋଷଣରୁ ମୁକ୍ତି ଦେବା ପାଇଁ ସେ ଲଢ଼େଇ କରୁଥିଲେ। ସଂଗ୍ରାମ ହିଁ ଥିଲା ତାଙ୍କର ସବୁଠାରୁ ବଡ଼ ପରିଚୟ। ଜଣେ ମନ୍ତ୍ରୀ ବା ବିଧାୟକ ଭାବରେ ପରିଚୟ ଠାରୁ ଏ ପରିଚୟ ଥିଲା ବହୁ ଉପରେ। ସେ ଥିଲେ ଗରୀବ ଜନତାର ପ୍ରକୃତ ବନ୍ଧୁ। ସମାଜବାଦୀ ଆଦର୍ଶରେ ତାଙ୍କର ଗଭୀର ବିଶ୍ୱାସ ଥିଲା ଏବଂ ଏହି ଆଦର୍ଶ ତାଙ୍କ ଜୀବନ ଓ କାର୍ଯ୍ୟରେ ପ୍ରତିଫଳିତ ହେଉଥିଲା। ତାଙ୍କ ପିଢ଼ିର ରାଜନେତାଙ୍କ ଅଭାବ ଆଜି ସମସ୍ତେ ଅନୁଭବ କରୁଛନ୍ତି।

ରାଜନୀତି ହେଉଛି ଏକ ପ୍ରତିବଦ୍ଧତା, ଏକ ଆଦର୍ଶ ପାଇଁ ପ୍ରତିବଦ୍ଧତା, ଲୋକଙ୍କୁ ନିସ୍ଵାର୍ଥପର ସେବା ଦେବାର ପ୍ରତିବଦ୍ଧତା। ଏହା ନିଃସନ୍ଦେହରେ କୁହାଯାଇପାରେ କି ରାଜନୀତି ହେଉଛି କ୍ଷମତାର ସିଡ଼ି। ଲୋକଙ୍କ କଲ୍ୟାଣ ପାଇଁ କାମ କରିବାକୁ ଏକ ସୁଯୋଗ। କିନ୍ତୁ ନୈତିକତା ବିହୀନ ରାଜନୀତି କେବଳ ଛଳନା ପଦବାଚ୍ୟ। ଜଣେ ନିଷ୍ଠାପର ଓ ପ୍ରତିଶ୍ରୁତିବଦ୍ଧ ରାଜନେତା ହିଁ ଲୋକଙ୍କ ଜୀବନରେ ରୂପାନ୍ତର ଆଣିପାରିବ। ଅନେକ ରାଜନୀତିକୁ କ୍ଷମତା ହାସଲ ପାଇଁ ଏକ ସ୍ପ୍ରିଙ୍ଗବୋର୍ଡ ଭାବରେ ବିଚାର କରନ୍ତି।

କିନ୍ତୁ ମୋ ବିଚାରରେ ଲୋକଙ୍କ ଭଲ ପାଇବା ଆଗରେ , କ୍ଷମତା, ପଦ ମର୍ଯ୍ୟାଦା ଓ ପ୍ରତିପତ୍ତି ତୁଛ। ସାଧାରଣ ଜନତାଙ୍କ ସନ୍ତୋଷ ହିଁ ରାଜନେତାଙ୍କର ସବୁଠାରୁ ମୂଲ୍ୟବାନ ସମ୍ପତ୍ତି।