ଭୁବନେଶ୍ୱର, ୧୮/୧୧: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ସ୍କାନରକୁ ଆସିଛନ୍ତି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ। ଏ ନେଇ ଶ୍ରୀ ନାୟକଙ୍କ ସହ ଜଡ଼ିତ ୧୦ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଛି। ଭୁବନେଶ୍ୱର (ଖୋର୍ଦ୍ଧା), ଢେଙ୍କାନାଳ, ଭଦ୍ରକ ଓ ମୟୂରଭଞ୍ଜର ୧୦ଟି ସ୍ଥାନରେ ଚଢ଼ଉ ଜାରି ରହିଛି।
ଭୁବନେଶ୍ୱର ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ୭ ଜଣ ଡିଏସପି, ୩ ଜଣ ଇନ୍ସପେକ୍ଟର, ୮ ଜଣ ଏଏସଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଏକକାଳୀନ ଚଢାଉ କରାଯାଉଛି।
ଭୁବନେଶ୍ୱର ଝାରପଡ଼ାଠାରେ ଏକ ତିନି ମହଲା ନିର୍ମାଣାଧୀନ କୋଠା, ଝାରପଡ଼ାରେ ଏକ ମହଲା କୋଠା, ଭଦ୍ରକ କୁଆଁସାଠାରେ ଏକ ତିନି ମହଲା କୋଠା, ଭଦ୍ରକ ଜିଲ୍ଲା ଗେଲପୁରଠାରେ ଏକ ଦୁଇ ମହଲା କୋଠା ନିର୍ମାଣାଧୀନ କୋଠା, ଢେଙ୍କାନାଳ କାମାକ୍ଷାନଗରସ୍ଥିତ ନାରାୟଣ ଶ୍ରୀ ନାୟକଙ୍କ କାର୍ଯ୍ୟାଳୟ, କାମାକ୍ଷାନଗରରେ ଶ୍ରୀ ନାୟକଙ୍କ ସରକାରୀ କ୍ୱାର୍ଟର, ଭଦ୍ରକ ଜିଲ୍ଲା ବାସୁଦେବପୁର କପଗରିଆ ଗାଁରେ ଥିବା ଶ୍ରୀ ନାୟକଙ୍କ ପୈତୃକ ଘର, ଭଦ୍ରକ ବରୁଣେଇ ଗାଁରେ ଥିବା ଶ୍ରୀ ନାୟକଙ୍କ ସମ୍ପର୍କୀୟଙ୍କ ଘର, ଭଦ୍ରକର ଭଣ୍ଡାରିପୋଖରୀରେ ଥିବା ଜଣେ ସମ୍ପର୍କୀୟଙ୍କ ଘର ଓ ମୟୂରଭଞ୍ଜର ରାଇରଙ୍ଗପୁରରେ ଗାଁରେ ଥିବା ଅନ୍ୟ ଜଣେ ସମ୍ପର୍କୀୟଙ୍କ ଘରେ ଚଢ଼ାଉ ଜାରି ରହିଛି।