ଭୁବନେଶ୍ୱର, ୧୮/୧୧: ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କର କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ଶ୍ରୀ ଦେ ଗତ କିଛି ଦିନ ହେବ ଅସୁସ୍ଥ ଥିବା ବେଳେ ନଭେମ୍ବର ୧ ତାରିଖରେ କଟକ ସିଡିଏସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେ ନିମୋନିଆରେ ପୀଡ଼ିତ ଥିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା।
ଶ୍ରୀ ଦେ କଟକ ବିଧାନସଭା ଆସନରୁ ବିଜେପି ଟିକେଟରେ ସେ ଲଗାତାର ୩ ଥର ବିଜୟୀ ହୋଇଥିଲେ। ୧୯୯୫, ୨୦୦୦ ଓ ୨୦୦୪ରେ ଲଗାତାର ୩ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ମେଣ୍ଟ ସରକାରରେ ସେ ନଗର ଉନ୍ନୟନ ମନ୍ତ୍ରୀ ଥିଲେ। ସେ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ଉଚ୍ଚଶିକ୍ଷା ମନ୍ତ୍ରୀ ମଧ୍ୟ ଥିଲେ।