ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍।

ପୋଲିସ ହାଉସିଂ ୱେଲଫେୟାର ଡିଜିଏମଙ୍କ ଘରେ ରେଡ୍

ଭୁବନେଶ୍ୱର, ୧୮/୧୧: ଆଜି ଗୋଟିଏ ଦିନରେ ଦୁଇ ଜଣ ସରକାରୀ ବାବୁଙ୍କୁ ଟାର୍ଗେଟ କରିଛି ଓଡ଼ିଶା ଭିଜିଲାନ୍ସ। କାମାକ୍ଷାନଗର ଉପଜିଲ୍ଲାପାଳଙ୍କ ପରେ ଏବେ ପୁଣି ଭିଜିଲାନ୍ସ ସ୍କାନରକୁ ଆସିଛନ୍ତି ଓଡ଼ିଶା ରାଜ୍ୟ ପୁଲିସ ଗୃହ କଲ୍ୟାଣ ନିଗମ, ବ୍ରହ୍ମପୁର ଡିଭିଜନର ଡେପୁଟି ଜେନେରାଲ ମ୍ୟାନେଜର(ସିଭିଲ) ସୁବାସ ଚନ୍ଦ୍ର ପଣ୍ଡା।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶ୍ରୀ ପଣ୍ଡାଙ୍କ ସମ୍ପତ୍ତି ଉପରେ ଆଜି ଭିଜିଲାନ୍ସ ଚଢ଼ାଉ କରିଛି। ଏହି ଚଢ଼ାଉରେ ୫ ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର ଓ ଅନ୍ୟ ସହାୟକ କର୍ମଚାରୀ ପ୍ରମୁଖ ସାମିଲ ଅଛନ୍ତି। ଭୁବନେଶ୍ୱର ଓ‌ ବ୍ରହ୍ମପୁରର ୪ଟି ସ୍ଥାନରେ ଚଢ଼ାଉ ଜାରି ରହିଛି।

ଭୁବନେଶ୍ୱର ଭରତପୁର ଥାନା ଅନ୍ତର୍ଗତ ଆଇଗିଣିଆରେ ଥିବା ଶ୍ରୀ ପଣ୍ଡାଙ୍କ ବାସଭବନ, ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ବରିମୁଣ୍ଡ ଗ୍ରାମର ରାମଗଡ଼ ସାହିରେ ଥିବା ପୈତୃକ ଘର, ବ୍ରହ୍ମପୁରର ଖାରବେଳ ନଗରରେ ଥିବା ଶ୍ରୀ ପଣ୍ଡାଙ୍କ ଭଡ଼ା ଘର, ବ୍ରହ୍ମପୁର ମେଡିକାଲ ବ୍ୟାଙ୍କ କଲୋନୀରେ ଶ୍ରୀ ପଣ୍ଡାଙ୍କ କାର୍ଯ୍ୟାଳୟରେ ଚଢ଼ାଉ ଜାରି ରହିଛି।