କଟକ ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖି ବିମୋହିତ ଦର୍ଶକ
ଓଡିଶୀ ନୃତ୍ୟରେ ମନ ମୋହିଲେ ନୃତ୍ୟଶାଳାର ଶିଳ୍ପୀ ଗଣ
କଟକ, ୧୯/୧୧: ଐତିହାସିକ ବାଲିଯାତ୍ରା କଟକ ଉତ୍ସବ ମୁଖର ହୋଇ ଉଠୁଥିବା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଖୁବ୍ ପ୍ରଭାବ ବିସ୍ତାର କରିଛି । ଓଡିଶାକୁ ଆସୁଥିବା କେବଳ ଓଡିଶା କି ଭାରତ ନୁହେଁ, ଭାରତ ବାହାରୁ ପର୍ଯ୍ୟଟକମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖି ବିମୋହିତ ହେବାରେ ଲାଗିଛନ୍ତି । ବାଲିଯାତ୍ରା କଟକ ମହୋତ୍ସବର ଅକ୍ଷୟ ମହାନ୍ତି ମଞ୍ଚରେ କଟକ ନୃତ୍ୟଶାଳା ସଂସ୍କୃତି କେନ୍ଦ୍ରର ଶିଳ୍ପୀ ଓଡିଶୀ ନୃତ୍ୟ ଗୁରୁ ତଥା ଓଡିଆ ଭାଷା ସାହିତ୍ୟ ବିଭାଗର ବରିଷ୍ଠ ପ୍ରାଧ୍ୟାପକ ଡକ୍ଟର ଚିରଞ୍ଜନ ସାହାଣୀଙ୍କ ସହ ସରସ୍ୱତୀ ବନ୍ଦନା ଏବଂ ମୋକ୍ଷ ନୃତ୍ୟ ପ୍ରଦର୍ଶନ କରି ଦର୍ଶକଙ୍କ ମନକୁ କିଣି ପାରିଛନ୍ତି । ସହସ୍ରାଧିକ ଦର୍ଶକ ମଞ୍ଚ ଆଗରେ ରହି କରତାଳି ଦେଇ ନୃତ୍ୟଶିଳ୍ପୀମାନଙ୍କୁ ସମ୍ମାନିତ କରିଛନ୍ତି । ଏହି ଅବସରରେ ନୃତ୍ୟଶାଳାର ଶିଳ୍ପୀ ଦେବାଂଶୀ, ଦେବୀ ପ୍ରିୟା, ଶ୍ରୀୟାଶ୍ରୀ, ଯଶସ୍ୱିନୀ, ରୋଜାଲିନ, ଅଦ୍ୱିତା, ସାହିଲ ଖାଁଙ୍କ ସହିତ ନୃତ୍ୟ ଗୁରୁ ଡକ୍ଟର ଚିରଞ୍ଜନ ସାହାଣୀଙ୍କୁ ସଂସ୍କୃତି ଅଧିକାରୀ ସୁରେନ୍ଦ୍ରନାଥ ସାମନ୍ତରାୟ, ପ୍ରଦୀପ ତ୍ରିପାଠୀ ବାଲିଯାତ୍ରା ପ୍ରତିକାତ୍ମକ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଛନ୍ତି ।