ଶ୍ୱାସରୁଦ୍ଧ ରାଜଧାନୀ ଦିଲ୍ଲୀ

ଦିଲ୍ଲୀରେ ଏକ୍ୟୁଆଇ ସ୍ତର ୫୦୦ ପାର କରିଛି।

କୃତ୍ରିମ ବର୍ଷା ପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ଲୋଡିଲେ ପରିବେଶ ମନ୍ତ୍ରୀ

ନୂଆଦିଲ୍ଲୀ, ୧୯/୧୧: ରାଜଧାନୀ ଦିଲ୍ଲୀରେ ଉଦବେଗ ଜନକ ଭାବେ ବୃଦ୍ଧି ପାଉଛି ପ୍ରଦୂଷଣର ମାତ୍ରା। କେତେକ ସ୍ଥାନରେ ଏକ୍ୟୁଆଇ ସ୍ତର ୫୦୦ ପାର କରିଛି। ଶିକ୍ଷାନୁଷ୍ଠାନରେ ଅନଲାଇନରେ ପାଠ ପଢା ଯାଉଛି। ତେବେ ଏହି ପ୍ରଦୂଷଣର ମୁକାବିଲା ପାଇଁ କୃତ୍ରିମ ବର୍ଷା କରାଇବା ପାଇଁ ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ମଙ୍ଗଳବାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି।

ଶ୍ରୀ ରାୟ ଏହି ସମସ୍ୟାର ସମାଧାନ ପାଇଁ ଏହି ମାମଲାରେ ହସ୍ତକ୍ଷେପ କରିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୈତିକ ଦାୟିତ୍ୱ ବୋଲି କହିଛନ୍ତି। ଦିଲ୍ଲୀ ଜିଆରଏପି (ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ୍) ଚତୁର୍ଥ ପର୍ଯ୍ୟାୟ କଟକଣା ଅଧୀନରେ ଅଛି ଏବଂ ଆମେ ଯାନବାହନ ଏବଂ ଶିଳ୍ପ ପ୍ରଦୂଷଣ ହ୍ରାସ କରିବା ପାଇଁ ସମସ୍ତ ସମ୍ଭବ ପଦକ୍ଷେପ ନେଉଛୁ। ସହର ମଧ୍ୟକୁ ପ୍ରବେଶ କରୁଥିବା ଗାଡ଼ି ସଂଖ୍ୟାକୁ ରୋକିବା ପାଇଁ ଘରୋଇ ଗାଡ଼ି ଓ ଟ୍ରକ୍ ଉପରେ କଟକଣା ଜାରି କରାଯାଇଛି। ଦିଲ୍ଲୀରେ କିପରି ଧୂଆଁ ଆଚ୍ଛାଦନକୁ ହଟାଇହେବ ସେ ନେଇ ଅନେକ ବିଶେଷଜ୍ଞଙ୍କ ସହ ପରାମର୍ଶ କରୁଛୁ। କୃତ୍ରିମ ବର୍ଷା ଦ୍ୱାରା ଏହି ପ୍ରଦୂଷଣ କମ କରାଯାଇ ପାରିବ। କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ଏକ ଚିଠି ଲେଖି ଏକ ଜରୁରୀ ବୈଠକ ଡାକିବାକୁ ଅନୁରୋଧ କରୁଛି।

ଦିଲ୍ଲୀରେ ଭୟାବହ ପ୍ରଦୂଷଣ ସ୍ଥିତିକୁ ଦୃଷ୍ଟିରେ ରଖି ଏକ ଜରୁରୀ ବୈଠକ ଡାକି କୃତ୍ରିମ ବର୍ଷାକୁ ଅନୁମତି ଦେବା ପାଇଁ ଦିଲ୍ଲୀ ସରକାରଙ୍କ ବାରମ୍ବାର ଅନୁରୋଧ ପରେ ମଧ୍ୟ କେନ୍ଦ୍ର ପରିବେଶ ମନ୍ତ୍ରୀ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ଯଦି କେନ୍ଦ୍ର ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ନାହିଁ, ତା’ହେଲେ ପରିବେଶ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଶ୍ରୀ ରାୟ କହିଛନ୍ତି।