ଭିଜିଲାନ୍ସ ପଞ୍ଝାରେ ଯୋଗାଣ ଅଧିକାରୀ
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି।
୧୧ଟି ସ୍ଥାନରେ କାଲିଠୁ ଚାଲିଛି ରେଡ୍
ଭୁବନେଶ୍ୱର, ୨୦/୧୧: ଆଜି ପୁଣି ଜଣେ ସରକାରୀ ବାବୁଙ୍କୁ ଟାର୍ଗେଟ କରିଛି ଓଡ଼ିଶା ଭିଜିଲାନ୍ସ। ସୁବର୍ଣ୍ଣପୁର ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ ସୁରେଶ ପାଣିଗ୍ରାହୀଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରାଯାଇଥିଲା। ଗତ କାଲି ରାତି ୯ଟାରୁ ଶ୍ରୀ ପାଣିଗ୍ରାହୀଙ୍କ ସୋନପୁର ସ୍ଥିତ ଭଡ଼ା ଘରେ ଓ କାର୍ଯ୍ୟାଳୟରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ।
ଭୁବନେଶ୍ୱର, ବଲାଙ୍ଗୀର, ସୁବର୍ଣ୍ଣପୁର ଓ ବରଗଡ଼ର ୧୧ଟି ସ୍ଥାନରେ ରେଡ୍ ଚାଲିଛି। ବଲାଙ୍ଗୀର ଭିଜିଲାନ୍ସ ସ୍ବତନ୍ତ୍ର ଜଜଙ୍କ ୱାରେଣ୍ଟ ଆଧାରରେ ଦୁଇ ଜଣ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ(ଏସପି), ୩ ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର ଓ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଚଢ଼ଉ ଚାଲିଛି।
ଶ୍ରୀ ପାଣିଗ୍ରାହୀଙ୍କ ବିରୋଧରେ ବାରମ୍ବାର ଅଭିଯୋଗ ଆସିବା ପରେ ଏହି ଚଢ଼ାଉ କରିଛି ଭିଜିଲାନ୍ସ। ଲୋକଙ୍କୁ ଲାଞ୍ଚ ମାଗିବା ଓ ଦୁର୍ବ୍ୟବହାର କରିବା ଭଳି ଅଭିଯୋଗ ରହିଥିଲା। ବର୍ତ୍ତମାନ ସୁଦ୍ଧା ରେଡ୍ ଚାଲି ଥିବାରୁ ସଠିକ୍ ସମ୍ପତ୍ତିର ଆକଳନ କରାଯାଇ ପାରିନାହିଁ।
ଚଢ଼ାଉ ଚାଲିଥିବା ସ୍ଥାନଗୁଡିକ ହେଲା:
ବଲାଙ୍ଗୀର ସହରର ତୁଳସୀ ନଗରରେ ଶ୍ରୀ ପାଣିଗ୍ରାହୀଙ୍କ ବାସଭବନ।
ସୋନପୁର ଟାଉନରେ ଶ୍ରୀ ପାଣିଗ୍ରାହୀଙ୍କ ଭଡ଼ା ଘର।
ସୁବର୍ଣ୍ଣପୁରରେ ଥିବା ତାଙ୍କ କାର୍ଯ୍ୟାଳୟ କକ୍ଷ।
ବରଗଡ଼ର ବିଜେପୁର ସ୍ଥିତ ବଳନ୍ଦାରେ ଥିବା ତାଙ୍କ ପୈତୃକ ଘର।
ଭୁବନେଶ୍ଵରର ପଟିଆସ୍ଥିତ ମଣି ତ୍ରିଭୁବନ ଟାୱାର ରେ ଥିବା ଭଡ଼ା ଫ୍ଲାଟ୍।
ବଲାଙ୍ଗୀର ତୁଳସୀ ନଗରରେ ତାଙ୍କ ସମ୍ପର୍କୀୟଙ୍କ ଘର।
ଭୁବନେଶ୍ୱରର ପଟିଆ ସ୍ଥିତ ରୟାଲ ଲାଗୁନରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଭଡା ଘର।
ବରଗଡ଼ ଗଙ୍ଗାଧର ସାହିରେ ତାଙ୍କ ସମ୍ପର୍କୀୟଙ୍କ ଭଡ଼ା ଘର।
ବରଗଡ଼ ଜିଲ୍ଲା ବଳନ୍ଦାସ୍ଥିତ ତାଙ୍କର ଏକ ସିମେଣ୍ଟ ଇଟା ଫ୍ୟାକ୍ଟ୍ରି ଓ ଚାଷ ଜମି।
ବରଗଡ଼ ବିଜେପୁର ପହଣ୍ଡିରେ ତାଙ୍କ ସମ୍ପର୍କୀୟଙ୍କ ନାମରେ ସିଦ୍ଧେଶ୍ୱରୀ ପେଟ୍ରୋଲ ପମ୍ପ।
ବରଗଡ଼ର ବଳନ୍ଦାରେ ଥିବା ତାଙ୍କର ଅନ୍ୟ ଜଣେ ସମ୍ପର୍କୀୟଙ୍କ ଘର।