ଜଳବାୟୁ ପରିବର୍ତ୍ତନ ପ୍ରଦର୍ଶନ ସୂଚକାଙ୍କ: ଦୁଇଟି ସ୍ଥାନ ତଳକୁ ଖସିଲା ଭାରତ
ଶ୍ରେଷ୍ଠ ୧୦ରେ ଭାରତ ନିଜର ସ୍ଥାନ ପକ୍କା କରିଛି।
ଶ୍ରେଷ୍ଠ ତିନି ସ୍ଥାନ ଶୂନ
ନୂଆଦିଲ୍ଲୀ, ୨୦/୧୧: ଜଳବାୟୁ ପରିବର୍ତ୍ତନ ପ୍ରଦର୍ଶନ ଆଧାରରେ ଭାରତ ଦୁଇଟି ସ୍ଥାନ ତଳକୁ ଖସିଛି। ଜର୍ମାନ ସ୍ଥିତ ଜର୍ମାନ ୱାଚ, ନ୍ୟୁ କ୍ଲାଇମେଟ୍ ଇନଷ୍ଟିଚ୍ୟୁଟ୍ ଏବଂ କ୍ଲାଇମେଟ୍ ଆକ୍ସନ ନେଟୱାର୍କ ଇଣ୍ଟରନ୍ୟାସନାଲ ଦ୍ୱାରା ପ୍ରକାଶିତ ଜଳବାୟୁ ପରିବର୍ତ୍ତନ ପ୍ରଦର୍ଶନ ସୂଚକାଙ୍କ (ସିସିପିଆଇ ୨୦୨୫) ଜଳବାୟୁ ପରିବର୍ତ୍ତନ ମୁକାବିଲା ପାଇଁ ଆକଳନ କରାଯାଇଥିବା ୬୩ଟି ଦେଶ ତାଲିକାରେ ଯଦିଓ ଭାରତ ଶୀର୍ଷ ୧୦ରେ ରହିଛି, କିନ୍ତୁ ଗତ ବର୍ଷ ତୁଳନାରେ ଦୁଇ ସ୍ଥାନ ତଳକୁ ଖସିଯାଇଛି।
ସିସିପିଆଇରେ ଆକଳନ କରାଯାଇଥିବା ୟୁରୋପୀୟ ସଂଘ ସହିତ ୬୩ଟି ଦେଶ ବିଶ୍ୱର ୯୦ ପ୍ରତିଶତ ନିର୍ଗମନ ପାଇଁ ଦାୟୀ। ଚଳିତ ବର୍ଷର ସିସିପିଆଇରେ ଭାରତ ୧୦ମ ସ୍ଥାନରେ ରହିଛି।
ତେବେ ସିସିପିଆଇ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ଭାରତର ଜଳବାୟୁ ନୀତିରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଶିଳ୍ପରୁ ବଢୁଥିବା ଶକ୍ତି ଚାହିଦା ଏବଂ ବଢୁଥିବା ଜନସଂଖ୍ୟା ଯୋଗୁଁ ଜଳବାୟୁ ନୀତିରେ ପରିବର୍ତ୍ତନ ହେଉ ନାହିଁ।
ଏହି ରିପୋର୍ଟରେ ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରଥମ ତିନୋଟି ସ୍ଥାନଖାଲି ରହିଛି। କୌଣସି ଦେଶ ସମସ୍ତ ସୂଚକାଙ୍କ ବର୍ଗରେ ଯଥେଷ୍ଟ ଭଲ ପ୍ରଦର୍ଶନ କରି ପାରି ନାହାନ୍ତି। ଡେନମାର୍କ ଶୀର୍ଷ ସ୍ଥାନରେ ଥିବା ଦେଶ (ଚତୁର୍ଥ) ରହିଛି। ଜଳବାୟୁ ନୀତି ରେଟିଂରେ ଉଚ୍ଚ ପ୍ରଦର୍ଶନ ହାସଲ କରିବାରେ ଏହା ଏକମାତ୍ର ଦେଶ ଥିଲା । ତଥାପି ଡେନମାର୍କ ଯଥେଷ୍ଟ ଭଲ ପ୍ରଦର୍ଶନ କରି ସାମଗ୍ରିକ ଭାବେ ଉଚ୍ଚ ରେଟିଂ ହାସଲ କରିପାରିନାହିଁ। ଡେନମାର୍କ ପଛକୁ ନେଦରଲାଣ୍ଡ (ପଞ୍ଚମ) ଓ ବ୍ରିଟେନ ଷଷ୍ଠ ସ୍ଥାନ ଅଧିକାର କରିଛି।