ଆଦାନୀ ଗ୍ରୁପଠାରୁ ଲାଞ୍ଚ ନେବା ଘଟଣାରେ ମୁହଁ ଖୋଲିଲା ବିଜେଡ଼ି
ଜାତୀୟ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଲେ ପୂର୍ବତନ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ
ଭୁବନେଶ୍ୱର, ୨୨/୧୧: ଭାରତୀୟ ବ୍ୟବସାୟୀ ଗୌତମ ଆଦାନୀଙ୍କ ବିରୋଧରେ ସୌର ଶକ୍ତି ଚୁକ୍ତି ହାସଲ ପାଇଁ କେନ୍ଦ୍ର ସରକାରଙ୍କୁ ଲାଞ୍ଚ ଦେବା ଭଳି ସଙ୍ଗୀନ ଅଭିଯୋଗ ଆଣିଥିଲା ଯୁକ୍ତରାଷ୍ଟ୍ର ଆମେରିକା। ଏହା ସହ ଦେଶର ଆନ୍ଧ୍ରପ୍ରଦେଶ, ଓଡ଼ିଶା, ତାମିଲନାଡୁ, ଛତିଶଗଡ଼ ଏବଂ ଜମ୍ମୁ-କଶ୍ମୀରରେ ଚୁକ୍ତି କରାଇବା ପାଇଁ ଆଦାନୀ ଗ୍ରୁପ୍ ଏବଂ ଏହାର ସହଯୋଗୀମାନେ ରାଜି କରାଇବା ପାଇଁ ଲାଞ୍ଚ ଦେଇଥିଲେ ବୋଲି ମଧ୍ୟ ଅଭିଯୋଗ ଆସିଥିଲା।
ତେବେ ଏହି ଅଭିଯୋଗ ପରେ ମୁହଁ ଖୋଲିଛି ଓଡ଼ିଶାର ପୂର୍ବତନ ଶାସକ ଦଳ ବିଜେଡ଼ି। ଏହି ଅଭିଯୋଗକୁ ଖଣ୍ଡନ କରି ବିଜେଡ଼ି ସରକାର ସମୟରେ ଥିବା ଶକ୍ତିମନ୍ତ୍ରୀ ତଥା ବର୍ତ୍ତମାନର ବିଜେଡ଼ି ବିଧାୟକ ପ୍ରତାପ କେଶରୀ ଦେବ ଜାତୀୟ ଗଣମାଧ୍ୟମ ଏଏନଆଇକୁ କହିଛନ୍ତି, ଓଡ଼ିଶା ନାଁରେ ଯେଉଁ ପ୍ରକାର ଅଭିଯୋଗ ଆସିଛି ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ତଥ୍ୟ ଉପରେ ଆଧାରିତ ନୁହେଁ। ଏହି ଚୁକ୍ତି ସହ ପୂର୍ବତନ ରାଜ୍ୟ ସରକାରଙ୍କ କୌଣସି ସମ୍ପର୍କ ନାହିଁ। ଯାହା ବି ଚୁକ୍ତି ହୋଇଥିବ, ତାହା କେବଳ ଗ୍ରିଡକୋ, ବିତରଣ କମ୍ପାନୀ ଏବଂ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ସୌର ଶକ୍ତି ନିଗମ ଅଫ୍ ଇଣ୍ଡିଆ ଲିମିଟେଡ୍ (ଏସଇସିଆଇ) ମଧ୍ୟରେ ହୋଇଥିବ। ଏହି ସବୁ ମାମଲାରେ ପୂର୍ବତନ ସରକାରଙ୍କ କୌଣସି ଭୂମିକା ନାହିଁ ବୋଲି ବିଧାୟକ ଶ୍ରୀ ଦେବ କହିଛନ୍ତି।
ବିଧାୟକ ଆହୁରି ମଧ୍ୟ କହିଛନ୍ତି ଯେ, ଓଡ଼ିଶା ଓ ଅନ୍ୟ ରାଜ୍ୟ ମଧ୍ୟରେ ବହୁ ପାର୍ଥକ୍ୟ ରହିଛି। ଓଡ଼ିଶାରେ ଆମେ ବିଦ୍ୟୁତ ବଣ୍ଟନକୁ ଘରୋଇକରଣ କରିଥିବା ବେଳେ ଅନ୍ୟ ରାଜ୍ୟମାନେ ସିଧାସଳଖ କାମ କରୁଛନ୍ତି। ଓଡ଼ିଶାରେ ଟାଟା ପାୱାର ବିଦ୍ୟୁତ ଯୋଗାଣର ବିତରଣ କାମ କରୁଛି। ଏହି ଚୁକ୍ତିରେ ଆଦାନୀ, ଏସଇସିଆଇ, ଗ୍ରିଡକୋ ଏବଂ ବିତରଣ କମ୍ପାନୀ ସାମିଲ ହୋଇପାରନ୍ତି। ଶକ୍ତି ସମ୍ପର୍କିତ ଯେକୌଣସି ଚୁକ୍ତିକୁ କେବଳ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ଅନୁମୋଦନ କରିଥାଏ। ଯାହା ଗୋଟିଏ ସ୍ଵୟଂଶାସିତ ସଂସ୍ଥା। ଗ୍ରିଡକୋ ମଧ୍ୟ ଅର୍ଦ୍ଧ ସ୍ୱୟଂଶାସିତ। ତେଣୁ ଏହି ଚୁକ୍ତିରେ ପୂର୍ବତନ ରାଜ୍ୟ ସରକାରଙ୍କ ସିଧାସଳଖ ଭୂମିକା ନାହିଁ। ଏଭଳି ସମସ୍ତ ଚୁକ୍ତିରେ ଶକ୍ତି ବିଭାଗର ମନ୍ତ୍ରୀ କିମ୍ବା ସଚିବଙ୍କ ସମ୍ପୃକ୍ତି ନାହିଁ ବୋଲି ଶ୍ରୀ ଦେବ କହିଛନ୍ତି।