ଗୋଟିଏ ସ୍ଥାନରେ ରହିବେ ସବୁ ଶରଣାର୍ଥୀ

ମିଜୋରାମରେ ଆଶ୍ରୟ ନେଉଛନ୍ତି ୩୩,୦୦୦ ମ୍ୟାଁମାର ନାଗରିକ।

ରାଜ୍ୟର ସବୁ ଶରଣାର୍ଥୀଙ୍କୁ ଥଇଥାନ କରିବେ ମିଜୋରାମ ସରକାର

ମିଜୋରାମ, ୨୨/୧୧: ମିଜୋରାମରେ ଥିବା ସବୁ ଶରଣାର୍ଥୀଙ୍କୁ ଗୋଟିଏ ସ୍ଥାନରେ ରଖିବେ ମିଜୋରାମ ସରକାର। ମିଜୋରାମ ସରକାର ରାଜ୍ୟର ବିଭିନ୍ନ ସ୍ଥାନରେ ଆଶ୍ରୟ ନେଉଥିବା ସବୁ ଶରଣାର୍ଥୀଙ୍କୁ ଏକାଠି କରି ଗୋଟିଏ ସ୍ଥାନକୁ ସ୍ଥାନାନ୍ତରିତ କରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ପରାମର୍ଶଦାତା ଲାଲମୁଆନପୁଇଆ ପୁଣ୍ଟେ କହିଛନ୍ତି।

ଦକ୍ଷିଣ ମିଜୋରାମର ଲାଙ୍ଗତଲାଇ ଜିଲ୍ଲାରେ ଆଶ୍ରୟ ନେଇଥିବା ୨,୦୦୦ରୁ ଅଧିକ ବାଂଲାଦେଶୀ ଶରଣାର୍ଥୀଙ୍କ ସମସ୍ୟା ଉପରେ ଆଲୋଚନା କରିବା ପାଇଁ ପୁଣ୍ଟେ ଲାଙ୍ଗତଲାଇ ଜିଲ୍ଲାର ଅଧିକାରୀମାନଙ୍କ ସହ ଏକ ବୈଠକ କରିଥିଲେ। ସେ ବୈଠକରେ କହିଥିଲେ ଯେ, ଶରଣାର୍ଥୀମାନେ ଯେକୌଣସି ସ୍ଥାନରେ ଯାଇ ରହି ପାରିବେ ନାହିଁ। ଏହାକୁ ରୋକିବା ଉଚିତ। ଶରଣାର୍ଥୀମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଚ୍ଛିନ୍ନ ଭାବେ ନ ରହି ଗୋଟିଏ ସ୍ଥାନରେ ଏକାଠି ରହିବା ପାଇଁ ସରକାର ଯୋଜନା କରୁଛନ୍ତି। ଏହା ଦ୍ୱାରା ସରକାରଙ୍କ ତରଫରୁ ଭଲ ରୂପେ ମାନବୀୟ ସହାୟତା ଯୋଗାଇ ଦିଆ ଯାଇପାରିବ।

ରାଜ୍ୟ ଗୃହ ବିଭାଗର ସୂଚନା ଅନୁଯାୟୀ, ବର୍ତ୍ତମାନ ମିଜୋରାମରେ ୩୩ ହଜାରରୁ ଅଧିକ ମ୍ୟାଁମାର ନାଗରିକ ଆଶ୍ରୟ ନେଇଥିବା ବେଳେ ସେଥିମଧ୍ୟରୁ ୬,୦୩୦ ଶରଣାର୍ଥୀ କେବଳ ଲାଙ୍ଗତଲାଇରେ ରହୁଛନ୍ତି। ଦୁଇ ହଜାରରୁ ଅଧିକ ବାଂଲାଦେଶୀ ନାଗରିକ ଲାଙ୍ଗତଲାଇରେ ରହୁଥିବାର ରେକର୍ଡ ରହିଛି। ସେହିପରି ଆଭ୍ୟନ୍ତରୀଣ ସମସ୍ୟାରେ ମଣିପୁରରୁ ବିସ୍ଥାପିତ ୭,୭୫୬ ଜଣ ଲୋକ ମିଜୋରାମରେ ଆଶ୍ରୟ ନେଉଛନ୍ତି। ଏହି ସମସ୍ତ ଶରଣାର୍ଥୀଙ୍କୁ ଗୋଟିଏ ସ୍ଥାନରେ ସ୍ଥାନାନ୍ତରିତ କରିବା ପାଇଁ ଯୋଜନା କରାଯାଇଛି।