ମହିଳାଙ୍କ ଖାତାକୁ ଗଲା ସୁଭଦ୍ରା ଯୋଜନାର ତୃତୀୟ ପର୍ଯ୍ୟାୟ ଟଙ୍କା
ଉପକୃତ ହେଲେ ୨୦ ଲକ୍ଷ ମହିଳା
ସୁନ୍ଦରଗଡ଼ରୁ ରିଲିଜ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୨୪/୧୧: ରାଜ୍ୟ ସରକାର ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ଜାରି କରିଛନ୍ତି। ଏଥିରେ ୨୦ ଲକ୍ଷରୁ ଅଧିକ ମହିଳା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୫ ହଜାର ଟଙ୍କା ଟ୍ରାନ୍ସଫର କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଟଙ୍କା ରିଲିଜ କରିଥିଲେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ବର୍ତ୍ତମାନ ସୁଦ୍ଧା ସୁଭଦ୍ରା ଯୋଜନାରେ ୮୦ ଲକ୍ଷରୁ ଅଧିକ ମହିଳାଙ୍କୁ ଆର୍ଥିକ ସହାୟତା ମିଳିଛି। ଏହି ଯୋଜନା ଅଧୀନରେ ପ୍ରତି ହିତାଧିକାରୀଙ୍କୁ ରାକ୍ଷୀ ପୂର୍ଣ୍ଣିମାରେ ଏବଂ ମାର୍ଚ୍ଚ ୮ ଅନ୍ତର୍ଜାତୀୟ ମହିଳା ଦିବସରେ ୫,୦୦୦ ଟଙ୍କା ଲେଖାଏଁ ଦୁଇଟି କିସ୍ତିରେ ବାର୍ଷିକ ୧୦,୦୦୦ ଟଙ୍କା ମିଳିବ।