ନୂଆଦିଲ୍ଲୀ, ୨୪/୧୧: ଆସନ୍ତା ନଭେମ୍ବର ୨୮ରେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର କାର୍ଯ୍ୟକାରୀ ସଭାପତି ହେମନ୍ତ ସୋରେନ। ନଭେମ୍ବର ୨୮ରେ ନୂଆ ସରକାରଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ ବୋଲି ହେମନ୍ତ ସୋରେନ ରବିବାର ଗଣମାଧ୍ୟମକୁ କହିଛନ୍ତି। ଅନ୍ୟପଟେ ହେମନ୍ତ ସୋରେନ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ରାଜ୍ୟପାଳ ସନ୍ତୋଷ ଗଙ୍ଗୱାରଙ୍କୁ ରାଜଭବନରେ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଛନ୍ତି।
ସୂଚନାଯୋଗ୍ୟ, ହେମନ୍ତ ସୋରେନଙ୍କ ନେତୃତ୍ବାଧୀନ ଜେଏମ୍ଏମ୍ ଓ ମେଣ୍ଟ ୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭାରେ ୫୬ଟି ଆସନରେ ବିଜୟୀ ହୋଇଛି। ଜେଏମଏମ ୩୪ଟି ଆସନ ହାସଲ କରିଥିବା ବେଳେ ସହଯୋଗୀ ଦଳ କଂଗ୍ରେସ ୧୬ଟି, ଆରଜେଡି ୪ଟି ଏବଂ ସିପିଆଇ-ଏମ୍ଏଲ୍ ୨ଟି ଆସନରେ ବିଜୟୀ ହୋଇଥିଲା।
ବିଜେପି ନେତୃତ୍ୱାଧୀନ ଏନଡିଏ ଝାଡ଼ଖଣ୍ଡରେ ମାତ୍ର ୨୪ଟି ଆସନରେ ବିଜୟୀ ହୋଇଛି। ବିଜେପି ୨୧ଟି ଆସନ ଜିତିଥିବା ବେଳେ ଏହାର ସହଯୋଗୀ ଦଳ ଏଜେଏସୟୁ ପାର୍ଟି, ଲୋକ ଜନଶକ୍ତି ପାର୍ଟି (ରାମବିଳାସ) ଏବଂ ଜେଡିୟୁ ଗୋଟିଏ ଲେଖାଏଁ ଆସନରେ ବିଜୟୀ ହୋଇଛନ୍ତି।