ଗିରଫ ହେଲେ ଅଭିନେତା ଅଲ୍ଲୁ ଅର୍ଜୁନ

ମହଙ୍ଗା ପଡ଼ିଲା ପୁଷ୍ପା-୨ ପ୍ରିମିୟର ସୋରେ ସରପ୍ରାଇଜ ଭିଜିଟ

ନୂଆଦିଲ୍ଲୀ, ୧୩/୧୨: ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ପୁଷ୍ପା-୨ ସ୍କ୍ରିନିଂ ବେଳେ ପ୍ରବଳ ଭିଡ଼ ଯୋଗୁଁ ଦଳା ଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟଣାରେ ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରାଯାଇଛି। ଅଭିନେତାଙ୍କୁ ଚିକ୍କାଡପଲ୍ଲୀ ପୋଲିସ ଷ୍ଟେସନକୁ ନିଆଯାଇଥିବା ଜଣାପଡିଛି।

ଡିସେମ୍ବର ୪ ତାରିଖରେ ସନ୍ଧ୍ୟା ଥିଏଟରରେ ଅଭିନେତାଙ୍କ ଏକ ଝଲକ ଦେଖିବା ପାଇଁ ପ୍ରବଳ ଜନସମାଗମ ହୋଇଥିଲା। ଏଥିରେ ଶ୍ୱାସରୁଦ୍ଧ ହୋଇ ଜଣେ ୩୯ ବର୍ଷୀୟା ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ୮ ବର୍ଷର ପୁଅକୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏ ନେଇ ଉକ୍ତ ମହିଳାଙ୍କ ପରିବାର‌ ପକ୍ଷରୁ ସଂଧ୍ୟା ଥିଏଟରର ମ୍ୟାନେଜମେଣ୍ଟ, ଅଲ୍ଲୁ ଅର୍ଜୁନ ଓ ତାଙ୍କ ସୁରକ୍ଷା ଟିମ୍ ବିରୋଧରେ ମାମଲା ରୁଜୁ କରି କର୍ତ୍ତୃପକ୍ଷ ଘଟଣାର ତଦନ୍ତ ଆରମ୍ଭ କରିଛି।

ପୋଲିସ ଅଧିକାରୀମାନେ କହିଛନ୍ତି ଯେ ପ୍ରିମିୟରରେ ଫିଲ୍ମ ଟିମର ଉପସ୍ଥିତି ବିଷୟରେ ସେମାନଙ୍କୁ ପୂର୍ବରୁ ସୂଚନା ମିଳିନଥିଲା, ଯାହା ବିଶୃଙ୍ଖଳିତ ପରିସ୍ଥିତି ସୃଷ୍ଟି କରିଥିଲା।