ନୂଆଦିଲ୍ଲୀ, ୧୫/୧୨: ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବକୁ ବିଜୁ ଜନତା ଦଳ ସମର୍ଥନ କରିବ ନାହିଁ। ଏ ନେଇ ଦଳର ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ସ୍ପଷ୍ଟ କରିଛନ୍ତି।
ରାଜ୍ୟସଭା ଅଧ୍ୟକ୍ଷଙ୍କ ବିରୋଧରେ ହୋଇଥିବା ପିଟିସନରେ ଆମେ ଦସ୍ତଖତ କରିନାହୁଁ। ଅନାସ୍ଥା ପ୍ରସ୍ତାବ ପାଇଁ ସମର୍ଥନ ଲୋଡିଥିବା ଇଣ୍ଡିଆ ମେଣ୍ଟର କୌଣସି ସଦସ୍ୟ ଆମ ସହ ଯୋଗାଯୋଗ କରିନାହାନ୍ତି। ତେଣୁ ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଭୋଟ୍ ଦେବୁ ନାହିଁ ବୋଲି ନିଶ୍ଚିତ କରିଛନ୍ତି ବିଶି।
ଗତ ଡିସେମ୍ବର ୧୦ ତାରିଖରେ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ବିରୋଧୀ ନୋଟିସ୍ ଦାଖଲ କରିଥିଲେ। ଏ ନେଇ ଅନାସ୍ଥା ପ୍ରସ୍ତାବକୁ ନେଇ ବିଜେଡି ସମୀକ୍ଷା କରୁଛି ବୋଲି ଗତ ୧୦ ତାରିଖରେ ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ। ନବୀନ କହିଥିଲେ, ଆମେ ଏହାର ଯାଞ୍ଚ କରୁଛୁ। ଯାହା ଆବଶ୍ୟକ ତାହା ଆମେ ଗ୍ରହଣ କରିବୁ।
ତେବେ ସାଂସଦଙ୍କ ବୟାନ ପରେ ଜଣାପଡ଼ୁଛି ଯେ, ବିଜେଡିର ବିନା ସମର୍ଥନରେ ଧନଖଡଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାରିତ ହେବାର ସମ୍ଭାବନା ନାହିଁ। ଏବେ ବିଜେଡ଼ି ପକ୍ଷରୁ ୭ ଜଣ ରାଜ୍ୟସଭା ସାଂସଦ ଅଛନ୍ତି। ଗତ କିଛି ମାସ ମଧ୍ୟରେ ଦୁଇ ଜଣ ରାଜ୍ୟସଭା ସାଂସଦ ମମତା ମହାନ୍ତ ଓ ସୁଜିତ କୁମାର ବିଜେଡିରୁ ଇସ୍ତଫା ଦେଇଥିଲେ। ଯାହା ପରେ ବିଜେଡ଼ିରୁ ସଦସ୍ୟ ପଦ ଆହୁରି କମିଥିଲା।
୨୦୨୨ରେ ଦଳ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଧନଖଡଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ କରିଥିବା ବେଳେ ବିଜେପିରୁ ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟସଭା ସଦସ୍ୟ କରିବା ପାଇଁ ବିଜେଡ଼ି ସମର୍ଥନ କରିଥିଲା।