ସିଦ୍ଧରମେୟାଙ୍କ ନାମରେ ମହୀଶୂର ରାସ୍ତାର ନାମକରଣ ପ୍ରସ୍ତାବ
ମହୀଶୂରର କେଆରଏସ ରୋଡର ଏକ ଅଂଶକୁ 'ସିଦ୍ଧରମୈୟା ଆରୋଗ୍ୟ ମାର୍ଗ' ନାମରେ ନାମିତ କରିବାକୁ ଯୋଜନା ଚଳାଇଛନ୍ତି ସରକାର।
ତେଜିଲା କର୍ଣ୍ଣାଟକ ରାଜନୀତି
ନୂଆଦିଲ୍ଲୀ, ୨୫/୧୨: କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ନାମରେ ମହୀଶୂରର ଏକ ରାସ୍ତାର ନାମକରଣ ପାଇଁ ମହୀଶୂର ନଗର ନିଗମ ପରିଷଦର ପ୍ରସ୍ତାବ ପରେ ତେଜିଛି ବିବାଦ। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଲକ୍ଷ୍ମୀ ଭେଙ୍କଟରମଣସ୍ୱାମୀ ମନ୍ଦିରଠାରୁ ଆଉଟର ରିଙ୍ଗରୋଡ ଜଙ୍କସନ ପର୍ଯ୍ୟନ୍ତ କେଆରଏସ ରୋଡର ଏକ ଅଂଶକୁ ‘ସିଦ୍ଧରମୈୟା ଆରୋଗ୍ୟ ମାର୍ଗ’ ନାମରେ ନାମିତ କରିବାକୁ ପ୍ରସ୍ତାବରେ କୁହାଯାଇଛି। ଡିସେମ୍ବର ୧୩ରେ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇ ୩୦ ଦିନ ମଧ୍ୟରେ ମହୀଶୂରର କେଆରଏସ୍ ରାସ୍ତାର ନାମକରଣ ପ୍ରସ୍ତାବ ଉପରେ ଜନସାଧାରଣଙ୍କ ମତାମତ ଲୋଡ଼ାଯାଇଥିଲା। ତେବେ ଏହି ନିଷ୍ପତ୍ତିକୁ ବିରୋଧୀ ଦଳମାନେ ସମାଲୋଚନା କରିବା ସହ ଏହି ପ୍ରସଙ୍ଗରେ କର୍ଣ୍ଣାଟକରେ ରାଜନୈତିକ ଦଳ ପକ୍ଷରୁ ଜୋରସୋର ବିରୋଧ କରାଯାଉଛି। ସିଦ୍ଧରମୈୟାଙ୍କ ନାମରେ ଏହି ରାସ୍ତାର ନାମକରଣ କେବଳ ଐତିହାସିକ ସହର ମହୀଶୂର ପ୍ରତି ଅପମାନ ନୁହେଁ ବରଂ ସମଗ୍ର ରାଜ୍ୟ ପାଇଁ ବିଶ୍ୱାସଘାତକତା ଓ ଅପମାନ ବୋଲି ବିରୋଧୀ ଦଳ ଅଭିଯୋଗ କରିଛନ୍ତି।