ନିଗମବୋଧ ଘାଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ଼ଃ ମନମୋହନ ସିଂହଙ୍କୁ ଅନ୍ତିମ ବିଦାୟ
ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଦେଲେ ଶ୍ରଦ୍ଧାଞ୍ଜଳି
ନୂଆଦିଲ୍ଲୀ, ୨୮/୧୨: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡ଼ଃ ମନମୋହନ ସିଂହଙ୍କୁ ଅନ୍ତିମ ବିଦାୟ ଦେଇଛି ସାରା ଦେଶ। ଅନ୍ତିମ ଯାତ୍ରାରେ ସାମିଲ ହେଲେ ହଜାର ହଜାର ଲୋକ। ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହ ଅନ୍ତିମ ସଂସ୍କାର କରାଯିବ। ଦିନ ୧୦ଟାରେ ପ୍ରଥମେ କଂଗ୍ରେସ ମୁଖ୍ୟାଳୟରୁ ଆରମ୍ଭ ହୋଇଥିଲା ମନମୋହନ ସିଂହଙ୍କ ଅନ୍ତିମ ଯାତ୍ରା। ଭାରତର ଅର୍ଥନୈତିକ ଉଦାରୀକରଣର ସ୍ଥାପକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଏକାଠି ହୋଇଥିଲେ ଦଳୀୟ ନେତା। ଶହ ଶହ କଂଗ୍ରେସ କର୍ମୀ, ନେତା ଓ ସମର୍ଥକ ଶୋଭାଯାତ୍ରାରେ ନିଗମବୋଧ ଘାଟ ଅଭିମୁଖେ ବାହାରିଥିଲେ। କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧି ମଧ୍ୟ ଏହି ଶୋଭାଯାତ୍ରାରେ ସାମିଲ ଥିଲେ। ଶୋଭାଯାତ୍ରାରେ ଯାଇ ନିଗମବୋଧ ଘାଟରେ ଶେଷ ଥର ପାଇଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି।