ଇତିହାସ ରଚିବ ଇସ୍ରୋ
ଶ୍ରୀହରିକୋଟାର ସତୀଶ ଧାୱନ ସ୍ପେସ ସେଣ୍ଟରରୁ ପିଏସଏଲଭି-ସି-୬୦ ରକେଟ୍ ବ୍ୟବହାର କରି ସ୍ପେସ ଡକିଂ ଏକ୍ସପେରିମେଣ୍ଟ କରିବା ପାଇଁ ଇସ୍ରୋ ଏକ ମିଶନ ଲଞ୍ଚ କରିବ।
ଆଜି ରାତି ୯.୫୮ରେ ଲଞ୍ଚ ହେବ ସ୍ପେଡେକ୍ସ ମିଶନ
ନୂଆଦିଲ୍ଲୀ, ୩୦/୧୨: ୨୦୨୫ ପୂର୍ବରୁ ଇତିହାସ ରଚିବ ଇସ୍ରୋ। ଆଜି ରାତି ୯ଟା ୫୮ ମିନିଟରେ ଶ୍ରୀହରିକୋଟାର ସତୀଶ ଧାୱନ ସ୍ପେସ ସେଣ୍ଟରରୁ ଲଞ୍ଚ ହେବ ସ୍ପେଡେକ୍ସ ମିଶନ। ପିଏସଏଲଭି-ସି-୬୦ ରକେଟ୍ ବ୍ୟବହାର କରି ପ୍ରାୟ ୪୦୦ କିଲୋଗ୍ରାମ ଓଜନର ଦୁଇଟି ସ୍ୱତନ୍ତ୍ର ଭାବେ ସ୍ୱଦେଶୀ ଜ୍ଞାନକୌଶଳରେ ଡିଜାଇନ୍ କରାଯାଇଥିବା କ୍ଷୁଦ୍ର ସ୍ପେସ କ୍ରାଫ୍ଟ ଉତକ୍ଷେପଣ କରାଯିବ। ଏଥିରେ ସଫଳ ହେଲେ ସ୍ପେସ ଷ୍ଟେସନ ପ୍ରତିଷ୍ଠା କରିବା ପାଇଁ ବିଚାର କରିବ।
ମହାକାଶରେ ସାଟେଲାଇଟ୍ ଡକିଂର ଜଟିଳ କ୍ଷମତାକୁ ପ୍ରଦର୍ଶିତ କରିବା ପାଇଁ ଭାରତ ଏକ ଅଭିଯାନ ‘ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ୍’ (ସ୍ପେଡେକ୍ସ) ଦିଗରେ ଆଗେଇବ ଇସ୍ରୋ। ଏହି ମିଶନର ଲକ୍ଷ୍ୟ ହେଉଛି ମହାକାଶରେ ୨୮, ୮୦୦ କି.ମି. ଘଣ୍ଟା ପ୍ରତି ବେଗରେ ଗତି କରୁଥିବା ଦୁଇଟି ଉପଗ୍ରହକୁ ପରସ୍ପର ସହ ଯୋଡ଼ିବା। ଲୋ ୟାର୍ଥ ସର୍କ୍ୟୁଲାର ଅର୍ବିଟରରେ ଦୁଇଟି କ୍ଷୁଦ୍ର ସ୍ପେସ କ୍ରାଫ୍ଟ ଚେଜର (ଏସଡିଏକ୍ସ୦୧) ଓ ଟାର୍ଗେଟ (ଏସଡିଏକ୍ସ୦୨) ନାମକ ଏହି ଉପଗ୍ରହ ପୃଥିବୀଠାରୁ ୪୭୦ କିଲୋମିଟର ଉଚ୍ଚତାରେ ଡକିଂ କରିବାକୁ ଚେଷ୍ଟା କରିବ। ଏଣୁ ୪୦୦ କେଜି ବିଶିଷ୍ଟ ଦୁଇଟି ସ୍ପେସକ୍ରାଫ୍ଟ ନେଇ ମହାକାଶକୁ ଯିବ ପିଏସଏଲଭି-ସି-୬୦ ରକେଟ୍।
ଏହି ମିଶନ ଭାରତର ମହାକାଶ ଗବେଷଣା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ଭାରତ ପୂର୍ବରୁ ତିନୋଟି ଦେଶ ଋଷିଆ, ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଚୀନ୍ ଏଭଳି ମହାକାଶ ଡକିଂ ଏକ୍ସପେରିମେଣ୍ଟରେ ସଫଳତା ହାସଲ କରିଛନ୍ତି। ଏହି ମିଶନ ସଫଳ ହେଲେ ଉନ୍ନତ ଡକିଂ ଟେକ୍ନୋଲୋଜି ହାସଲ କରିବାରେ ଭାରତ ବିଶ୍ୱର ଚତୁର୍ଥ ଦେଶ ହେବ।