ଚାଷ କ୍ଷୟକ୍ଷତି ଆବେଦନ ଅବଧି ବଢାଇଲେ କେନ୍ଦ୍ର ସରକାର
ବୀମାଭୁକ୍ତ ଚାଷୀ ମାନଙ୍କ ପାଇଁ ଫସଲ କ୍ଷତି ସମ୍ପର୍କରେ ସୂଚନା ଦେବା ପାଇଁ ସମୟ ଅବଧି କେନ୍ଦ୍ର ସରକାର ଆଉ ତିନି ଦିନ ବଢାଇଲେ। ବୀମାଭୁକ୍ତ ଚାଷୀମାନେ ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ବୀମା କମ୍ପାନୀ ମାନଙ୍କୁ ଫସଲ କ୍ଷତି ସମ୍ପର୍କରେ ସୂଚନା ଦେଇ ପାରିବେ।
ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୩୦/୧୨: ରାଜ୍ୟରେ ଅଦିନିଆ ବର୍ଷା ଯୋଗୁଁ ଚାଷୀମାନେ ଫସଲ କ୍ଷତିର ସମ୍ମୁଖୀନ ହୋଇଥିବାରୁ ରାଜ୍ୟ ସରକାର କ୍ଷତିଗ୍ରସ୍ତ ଚାଷୀ ମାନଙ୍କୁ ସହାୟତା ଦେବାପାଇଁ ଯୋଜନା କରିଛନ୍ତି । ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ବୈଠକ କରିବା ସହିତ ନୟାଗଡ, ଗଜପତି ଓ ଗଞ୍ଜାମ ଜିଲ୍ଲା ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରିଛନ୍ତି । ଅନ୍ୟ ମନ୍ତ୍ରୀମାନେ ମଧ୍ୟ କ୍ଷତିଗ୍ରସ୍ତ ଅଞ୍ଚଳକୁ ଗସ୍ତ କରିଛନ୍ତି ।
ଉଭୟ ବୀମା କରିନଥିବା ଓ ବୀମା କରିଥିବା ଚାଷୀମାନଙ୍କୁ ସହାୟତା ଦିଆଯିବ । ବୀମା କରିଥିବା ଚାଷୀମାନଙ୍କୁ ଫସଲ କ୍ଷତି ସମ୍ପର୍କରେ ସୂଚନା ଦେବା ପାଇଁ ଡିସେମ୍ବର ୨୯ ଥିଲା ଶେଷ ତାରିଖ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରାଳୟକୁ ଏହି ଅବଧି ବଢାଇବାକୁ ଅନୁରୋଧ କରାଯାଇଥିଲା । ଚାଷୀ ମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହି ଅବଧିକୁ ଆଉ ତିନି ଦିନ ପାଇଁ ବୃଦ୍ଧି କରିଛନ୍ତି । ତେଣୁ, ଚାଷୀମାନେ ବର୍ତ୍ତମାନ ୨୦୨୫ ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ବୀମା କମ୍ପାନୀ ମାନଙ୍କୁ ଫସଲ କ୍ଷତି ସମ୍ପର୍କରେ ସୂଚନା ଦେଇ ପାରିବେ ।
ଓଡିଶାର ଚାଷୀ ମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କର ଏହି ସହାନୁଭୂତିଶୀଳ ମନୋଭାବ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହ୍ୱାନଙ୍କୁ ଧନ୍ୟବାଦ ଦେଇଛନ୍ତି ।