ଉଜୁଡା କ୍ଷେତକୁ ଦେଖି ସହି ନପାରି ଧାନ ଜମିରେ ଟଳିପଡିଲେ ଚାଷୀ
ସରକାରୀ ସହାୟତା ଦାବି କଲେ ମୃତକଙ୍କ ପରିବାର
ରେଡ଼କ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ସହାୟତା ଦେଲେ ତହସିଲଦାର
ନିଆଳି, ୩୧/୧୨: ଅଦିନିଆ ବର୍ଷା ଚାଷୀ ମୁହଁରୁ ଆହାର ଛଡାଇ ନେଇଛି । ଧାର କରଜ କରି ଚାଷ କରିଥିଲା ଚାଷୀ । ବର୍ଷକ ଯାକ ଫସଲ ଅମଳ ସମୟରେ ପ୍ରକୃତି ଦାଉ ସାଧିଲା । ଜମିରେ ଧାନ ଗଜା ହୋଇଯାଇଛି । ବର୍ଷ ଯାକର ପରିଶ୍ରମ ପାଣିରେ ପଡ଼ିଥିବା ବେଳେ ଚାଷୀ ଏବେ ସର୍ବଶାନ୍ତ ହୋଇଛନ୍ତି । ଆଜି ସକାଳୁ କଟକ ଜିଲ୍ଲା ନିଆଳି ବ୍ଳକ ମହଙ୍ଗା ଅଞ୍ଚଳରେ ଘଟିଛି ଦୁଃଖଦ ଘଟଣା । ଜଣେ ଚାଷୀ ନିଜର ଭାଗ ଚାଷ ଧାନ ଜମିକୁ ଯାଇଥିବା ସମୟରେ ଉଜୁଡା କ୍ଷେତକୁ ଦେଖି ବିଲରେ ଟଳି ପଡ଼ିଥିବା ଅଭିଯୋଗ ଆଣିଛନ୍ତି ମୃତ ଚାଷୀଙ୍କ ପରିବାର ଲୋକ ।
ସୂଚନା ଅନୁସାରେ, କଟକ ଜିଲ୍ଲାର ନିଆଳି ବ୍ଳକ ମହଙ୍ଗାପଡା କୈଳାସ ପ୍ରଧାନ (୭୫) ଅତ୍ୟନ୍ତ ଗରିବ ଶ୍ରେଣୀର ଲୋକ । ଚଳିତ ବର୍ଷ ୨ ଏକର ଜମିରେ ଧାନ ଚାଷ କରିଥିଲେ । ଅଦିନିଆ ବର୍ଷାରେ ଧାନ ଫସଲ ଉଜୁଡା ଫଳରେ ଦୁଃଖରେ ଭାଙ୍ଗି ପଡିଥିଲେ କୈଳାସ । ଆଜି ସକାଳୁ ଧାନ ଜମିକୁ ଯାଇଥିବା ସମୟରେ ଉଜୁଡା କ୍ଷେତକୁ ଦେଖି କୈଳାସଙ୍କ ହୃଦ୍ଘାତ ହେବାସହ ଧାନ ବିଲରେ ଟଳି ପଡ଼ିଥିଲେ । ଏହି ଖବର ସ୍ଥାନୀୟ ଅଞ୍ଚଳରେ ପଚାରିତ ହେବା ପରେ କୈଳାସଙ୍କ ଧାନ ଜମିରେ ଲୋକଙ୍କ ସୁଅ ଛୁଟିଥିଲା । କୈଳାସଙ୍କ ମୃତ୍ୟୁ ପରେ ପରିବାର ଲୋକେ ଭାଙ୍ଗି ପଡିଛନ୍ତି ।
ସରକାରୀ ସହାୟତା ଦାବି:
ଏନେଇ ମୃତ କୈଳାସଙ୍କ ଝିଅ କହିଛନ୍ତି, “ବାପା ବିଲକୁ ଯାଇଥିଲେ । ବର୍ଷାରେ ଧାନ କ୍ଷୟକ୍ଷତି ଦେଖି ବିଲରେ ଟଳି ପଡ଼ିଥିଲେ । ଧାନରୁ ଯାହା ରୋଜଗାର ହୁଏ ସେଥିରେ ପରିବାର ଚଳେ । ମୁଁ ସରକାରଙ୍କୁ ଅନୁରୋଧ କରୁଛି ଯେ, ଆମକୁ କିଛି ସରକାରୀ ସହାୟତା ମିଳୁ ।” ସେହିପରି ଗ୍ରାମର ଯୁଧିଷ୍ଠିର ଜେନା କହିଛନ୍ତି, “କୈଳାସ ଜଣେ ଗରିବ ଲୋକ । ବୟସ ୭୫। ଭାଗ ଚାଷ କରିଥିଲେ । ଚାଷ କ୍ଷୟକ୍ଷତି ହୋଇଛି । ବିଲକୁ ଯାଇଥିବାବେଳେ ଧାନ ନଷ୍ଟ ହୋଇଥିବା ଦେଖି କୈଳାସଙ୍କର ହୃଦଘାତ ହୋଇ ମୃତ ବରଣ କରିଛନ୍ତି । କୈଳାସଙ୍କ ପରିବାର କହିଲେ ଏକ ମାତ୍ର ଝିଅ ଓ ସ୍ତ୍ରୀ ଅଛନ୍ତି । ସରକାରଙ୍କୁ ଅନୁରୋଧ ଯେ, କୈଳାସଙ୍କ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇ ଦିଅନ୍ତୁ ।ସେପଟେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛନ୍ତି ନିଆଳି ବିଧାୟକ ଛବି ମଲ୍ଲିକ, ବିଜେପି ରାଜ୍ୟ ପ୍ରବକ୍ତା ରାଜେନ୍ଦ୍ର ପ୍ରସାଦ ପଣ୍ଡା ନିଆଳି ତହସିଲଦାର ଲିଲେନ କୁମାର ସାହୁ ଓ ନିଆଳି କୃଷି ଅଧିକାରୀ ସନ୍ଧ୍ୟାରାଣୀ ଦାଶ । ତହସିଲଦାର ଓ କୃଷି ଅଧିକାରୀ କ୍ଷତିଗ୍ରସ୍ତ ଚାଷ ଜମି ପାଖକୁ ଯାଇ ସ୍ଥିତ ଦେଖିବା ସହ ମୃତକଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି । ଏବଂ ମୃତ ପରିବାରବର୍ଗଙ୍କୁ ରେଡ଼କ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି ତହସିଲଦାର ।
ନିଆଳି ଥାନା ଆଇଆଇସି ବିଜୟ କୁମାର ମଲ୍ଲିକ ଶବ ବ୍ୟବଚ୍ଛେଦ ପାଇଁ ମୃତ୍ୟୁ ଦେହ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଇଛନ୍ତି । ମୃତ୍ୟୁ ଚାଷୀ କୈଳାସଙ୍କୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ବିଭିନ୍ନ ଆଡୁ ଦାବି ହୋଇଛି ।