ଇଂରାଜୀ ନୂଆବର୍ଷ- ୨୦୨୫ର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ

• ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା, ନୂଆବର୍ଷ ପ୍ରତ୍ୟେକ ଓଡ଼ିଆଙ୍କ ଜୀବନରେ ଖୁସି ଓ ଉଲ୍ଲାସ ଆଣିଦେଉ • ଡବଲ ଇଞ୍ଜିନ ସରକାର ଓଡ଼ିଶାର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ • ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ୨୦୨୫ରେ ଅଧିକ ପରିଶ୍ରମ କରିବା

ନୂତନ ଉନ୍ମାଦନା ଓ ସମ୍ଭାବନାର ବର୍ଷ ହେଉ ୨୦୨୫: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ୩୧/୧୨: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ସମେତ ସମଗ୍ର ଭାରତବାସୀଙ୍କୁ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଇଂରାଜୀ ନବବର୍ଷ-୨୦୨୫ର ଶୁଭେଚ୍ଛା ଜଣାଇଛନ୍ତି । ବର୍ଷ ୨୦୨୫ ସମସ୍ତଙ୍କ ପାଇଁ ସମ୍ଭାବନା ଓ ନୂତନ ଉନ୍ମାଦନାର ବର୍ଷ ହେଉ ବୋଲି ସେ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜି ଇଂରାଜୀ କ୍ୟାଲେଣ୍ଡର ଅନୁସାରେ ଡିସେମ୍ବର ୨୦୨୪ର ଅନ୍ତିମ ଦିନରେ ସୂର୍ଯ୍ୟର ଅସ୍ତ ହୋଇଛି । ତେବେ ଅସ୍ତଗାମୀ ସୂର୍ଯ୍ୟ ସବୁବେଳେ ଏକ ନୂତନ ଆରମ୍ଭର ପ୍ରତିଶ୍ରୁତି ନିଜ ସହିତ ବହନ କରିଥାଏ । ନୂଆ ବର୍ଷକୁ ନେଇ ମଧ୍ୟ ସମସ୍ତେ ଉତ୍ସାହିତ ଓ ଉଲ୍ଲସିତ ଅଛନ୍ତି । ନୂତନ ସମ୍ଭାବନା ଏବଂ ସକରାତ୍ମକ ଆରମ୍ଭକୁ ଆମେ ସମସ୍ତେ ସ୍ୱାଗତ କରିବା ଦରକାର ।  ଆମେ ସମସ୍ତେ ମିଶି ଯେତେବେଳେ ଏକ ନୂଆ ବର୍ଷରେ ପ୍ରବେଶ କରୁଅଛେ, ସେତେବେଳେ ନୂତନ ସୂର୍ଯ୍ୟ କେବଳ ବଙ୍ଗୋପସାଗର ଉଦୟ ହେବ ନାହିଁ ବରଂ ସାଢେ ଚାରି କୋଟି ଓଡ଼ିଆ ଲୋକଙ୍କ ହୃଦୟରେ ଉଦୟ ହୋଇ ଉଜ୍ଜ୍ୱଳ ଭବିଷ୍ୟତ ଆଡକୁ ଗତି କରିବ ।

୨୦୩୬ରେ ଓଡ଼ିଶା ଓ ୨୦୪୭ରେ ଭାରତକୁ ଦେଖିଲେ ଆମ ରାଜ୍ୟ ଏବଂ ଦେଶର ପରିବର୍ତ୍ତନ ରାସ୍ତାରେ ଅଛି । ଆଗକୁ ଯାତ୍ରା ଅସୀମ ସମ୍ଭାବନାରେ ପରିପୂର୍ଣ୍ଣ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଡବଲ ଇଞ୍ଜିନ ସରକାର ଓଡ଼ିଶାର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ । ଆମେ ଆଗାମୀ ଦିନରେ ଏକ ସମୃଦ୍ଧମୟ ଏବଂ ନୂଆ ଭାରତର ସ୍ୱପ୍ନ ନେଇ ଏକ ନୂଆ  ଭବିଷ୍ୟତ ତିଆରି କରିବା ପାଇଁ ପ୍ରସ୍ତୁତ ଅଛୁ ।  ସମସ୍ତଙ୍କୁ ଓ ସଶକ୍ତ କରିବା ଏବଂ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ଆମେ ୨୦୨୫ରେ ଅଧିକ ପରିଶ୍ରମ କରିବାକୁ ସଂକଳ୍ପବଦ୍ଧ । ନୂଆବର୍ଷ ପ୍ରତ୍ୟେକ ଓଡ଼ିଆଙ୍କ ଜୀବନରେ ଖୁସି ଓ ଉଲ୍ଲାସ ଆଣିଦେଉ ବୋଲି ଶ୍ରୀ ପ୍ରଧାନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ପାର୍ଥନା କରିଛନ୍ତି ।