ପୁଣି ଡରାଇଲାଣି ଲଗାଣ ବର୍ଷା

ଉପକୂଳ ଓଡ଼ିଶାରେ ବନ୍ୟା ବିପତ୍ତି ଦୂର ହୋଇନି । ଏବେ ବି ୬୪୨ଟି ଗାଁ ପାଣି ଘେରରେ । ୩ ଲକ୍ଷ ୯୧ ହଜାର ୫୨୮ ଲୋକେ ଜଳବନ୍ଦୀ ଯନ୍ତ୍ରଣାରେ କଲବଲ ହେଉଛନ୍ତି । ଏ ବିପଦ ଦୂର ହୋଇନଥିବାବେଳେ ଉତ୍ତର ଓଡ଼ିଶାକୁ ଡରାଇଲାଣି ଲଗାଣ ବର୍ଷା, ପବନ ଓ ସମ୍ଭାବ୍ୟ ବନ୍ୟା । ଯଦିଓ ସନ୍ଧ୍ୟାରେ ଗଭୀର ଅବପାତ ପଶ୍ଚିମବଙ୍ଗର ଦୀଘା ପାଖରେ (ବାଲେଶ୍ୱରରୁ ସାଗର ଦ୍ୱୀପ ମଧ୍ୟରେ) ସ୍ଥଳଭାଗ ଛୁଇଁଛି, ତଥାପି ଓଡ଼ିଶାରୁ ବିପଦ ପୂରା ଟଳିଯାଇନି ।

ଉତ୍ତର ଓଡ଼ିଶାରେ ଯେଉଁଭଳି ବର୍ଷା ଆଶଙ୍କା କରାଯାଉଛି, ସୁବର୍ଣ୍ଣରେଖା, ବୁଢାବଳଙ୍ଗ, ବୈତରଣୀ, ବ୍ରାହ୍ମଣୀ ସହ ସାଳନ୍ଦୀ, ଇବ ଫୁଲିପାରେ । ଏସବୁ ନଦୀର ସ୍ଥିତି ଉପରେ ସରକାର ସତର୍କ ନଜର ରଖିଛନ୍ତି । ସନ୍ଧ୍ୟାରୁ ବାଲେଶ୍ୱରରେ ବର୍ଷା ଆରମ୍ଭ ହୋଇଯାଇଛି । କ୍ରମଶଃ ବଢ଼ି ଚାଲିବ । ବାରିପଦା ସମେତ ମୟୂରଭଞ୍ଜର ବିଭିନ୍ନ ସ୍ଥାନରେ ବି ବର୍ଷା ହୋଇଛି ।

ଶନିବାର ସକାଳ ଭିତରେ ବାଲେଶ୍ୱର, କେନ୍ଦୁଝର, ଭଦ୍ରକ, ମୟୂରଭଞ୍ଜରେ ପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା (୭୦ରୁ ୨୦୦ ମିଲିମିଟର) ବର୍ଷା ଅଜାଡ଼ିପାରେ । ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜରେ ଘଣ୍ଟା ପ୍ରତି ୫୦-୬୦ କିମି ବେଗରେ ପବନ ଓ ପବନର ଝଟକା ୭୦ କିମିକୁ ଛୁଇଁପାରେ। ଶନିବାର ବି ଅନେକ ଜିଲ୍ଲାରେ ଲଗାଣ ବର୍ଷା ସହ ପବନ ଆଶଙ୍କା ଅଛି । ଜଳକା ବିପଦ ସଙ୍କେତ ଡେଇଁସାରିଛି । ମଥାନିରେ ଜଳସ୍ତର ୬.୦୩ ମିଟର ଥିଲା ସନ୍ଧ୍ୟା ୬ଟାବେଳେ । ଏଠି ବିପଦ ସଙ୍କେତ ସ୍ତର ୫.୫୦ ମିଟର । ସୁବର୍ଣ୍ଣରେଖା ରାଜଘାଟରେ ବଢ଼ୁଥିବାବେଳେ ବୈତରଣୀ ଆନନ୍ଦପୁରରେ ବୃଦ୍ଧି ପାଉଛି । ବ୍ରାହ୍ମଣୀ ନଦୀ ପାନପୋଷରେ ଫୁଲୁଛି ।