ଜାନୁୟାରୀ ୭ ରୁ ଆରମ୍ଭ ହେବ ରାଜାରାଣୀ, ମୁକ୍ତେଶ୍ୱର ଓ ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋତ୍ସବ

ଶାସ୍ତ୍ରୀୟ ନୃତ୍ୟ ଏବଂ ସଂଗୀତ ହେଉଛି ଆମ ସଂସ୍କୃତି ଓ ଅସ୍ମିତାର ପରିଚୟ: ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

ଭୁବନେଶ୍ୱର, ୬/୧: ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ଆନୁକୂଲ୍ୟରେ ଆସନ୍ତା ଜାନୁୟାରୀ ୭ ତାରିଖ ଠାରୁ ୧୧ ତାରିଖ ପର୍ଯ୍ୟନ୍ତ ରାଜଧାନୀ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ରାଜାରାଣୀ ସଂଗୀତ ମହୋତ୍ସବ, ମୁକ୍ତେଶ୍ୱର ଓଡ଼ିଶୀ ନୃତ୍ୟ ମହୋତ୍ସବ ଏବଂ ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋତ୍ସବ। ଦୀର୍ଘ ୫ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ମହୋତ୍ସବରେ ଶାସ୍ତ୍ରୀୟ ନୃତ୍ୟ ଓଡ଼ିଶୀ ସମେତ ଶାସ୍ତ୍ରୀୟ ସଂଗୀତ ମଧ୍ୟ ପରିବେଷଣ କରାଯିବ।

ରବୀନ୍ଦ୍ର ମଣ୍ଡପ ଠାରେ ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋତ୍ସବ ଅନୁଷ୍ଠିତ ହେବାକୁ ଥିବା ବେଳେ ରାଜାରାଣୀ ମନ୍ଦିର ପ୍ରାଙ୍ଗଣରେ ରାଜାରାଣୀ ସଂଗୀତ ମହୋତ୍ସବ ଏବଂ ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ମୁକ୍ତେଶ୍ୱର ଓଡ଼ିଶୀ ନୃତ୍ୟ ମହୋତ୍ସବ ଅନୁଷ୍ଠିତ ହେବ।

ଚଳିତବର୍ଷ ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋତ୍ସବରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ଗୁରୁ କୁମ୍‌କୁମ୍ ମହାନ୍ତି, ଇଲିଆନା ସିତାରିଷ୍ଟ, ଦୁର୍ଗାଚରଣ ରଣବୀର , ଝେଲମ ପରାଂଜପେ, ଶୋରେନ୍ ଲୋୱେନ୍‌ ଆଦି ଓଡ଼ିଶୀ ନୃତ୍ୟ ପରିବେଷଣ କରିବା ସହିତ ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋତ୍ସବର ଇତିହାସ ଏବଂ ବିଶେଷ୍ଵତକୁ ନେଇ ଏକ ଫଟୋଚିତ୍ର ପ୍ରଦାର୍ଶନୀର ମଧ୍ୟ ଆୟୋଜନ କରାଯିବ। ଏଥିସହ ମୁକ୍ତେଶ୍ୱର ଓଡ଼ିଶୀ ନୃତ୍ୟ ମହୋତ୍ସବରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟ ଶିଳ୍ପୀମାନଙ୍କ ଦ୍ୱାରା ଏକକ, ଦ୍ୱେତ ଏବଂ ଦଳଗତ ଓଡ଼ିଶୀ ନୃତ୍ୟ ପ୍ରଦର୍ଶିତ ହେବାକୁ ଥିବା ବେଳେ ରାଜାରାଣୀ ସଂଗୀତ ମହୋତ୍ସବରେ ହିନ୍ଦୁସ୍ତାନୀ, କର୍ଣ୍ଣାଟକୀ ଏବଂ ଓଡ଼ିଶୀ ସଂଗୀତ ପରିବେଷଣ କରାଯିବ।

ରାଜାରାଣୀ ସଂଗୀତ ମହୋତ୍ସବ, ମୁକ୍ତେଶ୍ୱର ଓଡ଼ିଶୀ ନୃତ୍ୟ ମହୋତ୍ସବ ଏବଂ ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋତ୍ସବର ଆୟୋଜନ ହେବା ସମ୍ବନ୍ଧରେ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଶାସ୍ତ୍ରୀୟ ନୃତ୍ୟ ଏବଂ ସଂଗୀତ ହେଉଛି ଆମ ସଂସ୍କୃତି ଓ ଅସ୍ମିତାର ପରିଚୟ। ଆସନ୍ତା ଜାନୁୟାରୀ ୭ ତାରିଖ ଠାରୁ ୧୧ ତାରିଖ ପର୍ଯ୍ୟନ୍ତ ରାଜାରାଣୀ ସଂଗୀତ ମହୋତ୍ସବ, ମୁକ୍ତେଶ୍ୱର ଓଡ଼ିଶୀ ନୃତ୍ୟ ମହୋତ୍ସବ ଏବଂ ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋତ୍ସବ ଆୟୋଜିତ ହେବ। ଏହି ସମୟରେ ମଧ୍ୟ ରାଜଧାନୀରେ ପ୍ରବାସୀ ଭାରତୀୟ ଦିବସ ଅନୁଷ୍ଠିତ ହେବ। ଏହି ମହୋତ୍ସବ ଗୁଡ଼ିକର ଆୟୋଜନ ହେବା ମାଧ୍ୟମରେ ରାଜ୍ୟ ଓ ଦେଶ ବାହାରୁ ଆସିଥିବା ଅତିଥିମାନେ ମଧ୍ୟ ଆମ ଶାସ୍ତ୍ରୀୟ ନୃତ୍ୟ ଏବଂ ସଂଗୀତ ସହିତ ଆମ ସଂସ୍କୃତି ଓ ଗୌରବମୟ ପରମ୍ପରା ସମ୍ବନ୍ଧରେ ଅବଗତ ହୋଇପାରିବେ । ଏଥିସହ ମହୋତ୍ସବର ଆୟୋଜନ ମାଧ୍ୟମରେ ଅନ୍ତର୍ଜାତୀୟ ସ୍ତରରେ ଆମ କଳା ଓ ସଂସ୍କୃତିର ବହୁଳ ପ୍ରଚାର ଓ ପ୍ରସାର ହୋଇପାରିବ ବୋଲି ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମତପ୍ରକାଶ କରିଛନ୍ତି।