ଦିନକ ପରେ ପ୍ରବାସୀ ଭାରତୀୟ ସମ୍ମିଳନୀ: ଝଲସୁଛି ରାଜଧାନୀ

ପ୍ରବାସୀଙ୍କୁ ସ୍ୱାଗତ କରିବା ପାଇଁ ଉତ୍ସବମୁଖର ସାରା ଓଡ଼ିଶା।

ଓଡ଼ିଶା ଆସିଲେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର

ଭୁବନେଶ୍ୱର, ୦୬/୦୧: ଆସନ୍ତା ଜାନୁଆରୀ ୮ରୁ ୧୦ ତାରିଖ ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଯାଉଛି ପ୍ରବାସୀ ଭାରତୀୟ ଦିବସର ୧୮ତମ ସଂସ୍କରଣ। ୧୯୧୫ ଜାନୁଆରୀ ୯ ତାରିଖରେ ମହାତ୍ମା ଗାନ୍ଧୀ ଦକ୍ଷିଣ ଆଫ୍ରିକାରୁ ଭାରତକୁ ଫେରିଥିବା ସ୍ମୃତିରେ ୨୦୦୩ରୁ ଭାରତରେ ପାଳିତ ହେଉଛି ଏହି ଦିବସ।

ଚଳିତ ଥର ପ୍ରଥମ ଥର ପାଇଁ ପୂର୍ବାଞ୍ଚଳ ରାଜ୍ୟ ଓଡ଼ିଶାରେ ପାଳନ ହେବାକୁ ଯାଉଛି ଏହି ଦିବସ। ଏଥିପାଇଁ ଉତ୍ସବମୁଖର ସାରା ଓଡ଼ିଶା। ଏଥର ୬୦ ଦେଶରୁ ପ୍ରାୟ ୭ ହଜାର ଅତିଥି‌ ଓଡ଼ିଶା ଆସିବାର ସମ୍ଭାବନା ରହିଛି। ଏଥିରେ ଯୋଗ ଦେବାକୁ ଆଗରୁ ପଞ୍ଜୀକରଣ କରିଛନ୍ତି ପ୍ରବାସୀ ଭାରତୀୟ।

ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ଅତିଥିମାନଙ୍କ ଆଗମନକୁ ଦୃଷ୍ଟିରେ ରଖି ସବୁ ପର୍ଯ୍ୟଟନସ୍ଥଳୀକୁ ଅତିଥିଙ୍କ ସ୍ୱାଗତ ପାଇଁ ପ୍ରସ୍ତୁତ କରାଯାଉଛି। ଭୁବନେଶ୍ୱର ସମେତ କଟକ, ପୁରୀ, କୋଣାର୍କ, ଚିଲିକା, ରତ୍ନଗିରି, ଲଳିତଗିରି, ଚଉଷଠି ଯୋଗିନୀ, ଖଣ୍ଡଗିରି, ଉଦୟଗିରି ଓ ଚିଲିକା ଭଳି ପ୍ରମୁଖ ପର୍ଯ୍ୟଟନସ୍ଥଳୀ ବୁଲିବେ ପ୍ରବାସୀ। ଅତିଥିମାନଙ୍କ ରହଣି ପାଇଁ ଭୁବନେଶ୍ୱର ଓ ପୁରୀରେ ୨୦୦ ହୋଟେଲରେ ୩୭୦୦ ରୁମ୍ ସଂରକ୍ଷିତ ହୋଇଛି। ହୋମ୍ ଷ୍ଟେ ବ୍ୟବସ୍ଥା ମଧ୍ୟ କରାଯାଇଛି।

ଏହା ପୂର୍ବରୁ ଓଡ଼ିଶାରେ ଆସି ପହଞ୍ଚିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର। ସନ୍ଧ୍ୟା ୬ଟା ୨୦ରେ ଜୟଶଙ୍କର ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଥିଲେ। ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ବିମାନବନ୍ଦରରେ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତି। ପ୍ରବାସୀ ଭାରତୀୟ ଦିବସ ଶେଷ ହେବା ପର୍ଯ୍ୟନ୍ତ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ରହିବେ। କୋଣାର୍କସ୍ଥିତ ଇକୋ ରିଟ୍ରିଟରେ ରାତ୍ରିଯାପନ କରିବେ ମନ୍ତ୍ରୀ।

ବିମାନ ବନ୍ଦରରେ ପହଞ୍ଚିବା ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଓଡ଼ିଶା ସରକାର ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମକୁ ଭବ୍ୟ ଢଙ୍ଗରେ ଆୟୋଜନ କରିବାକୁ ଯାଉଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୂଚନା ଅନୁଯାୟୀ ଏହି କାର୍ଯ୍ୟକ୍ରମ ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। କେନ୍ଦ୍ରମନ୍ତ୍ରୀ ଜୟଶଙ୍କର ଆସନ୍ତାକାଲି କୋଣାର୍କ ସୂର୍ଯ୍ୟ ମନ୍ଦିର ଯାଇ ପୁରୀ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରିବେ। ଜାନୁଆରି ୧୦ ତାରିଖ ସକାଳେ ନୂଆଦିଲ୍ଲୀ ଫେରିବେ ବୈଦେଶିକ ବ୍ୟାପାର ମନ୍ତ୍ରୀ।

ଆସନ୍ତା ଜାନୁଆରୀ ୯ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ ଉଦଘାଟନ କରିବେ। ଜାନୁଆରୀ ୯ରେ ଏହି ସମ୍ମିଳନୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେବେ। ଏଥିରେ ରାଷ୍ଟ୍ରପତି ୨୭ ଜଣ ପ୍ରବାସୀ ଭାରତୀୟଙ୍କୁ ଦେଶ ଓ ବିଦେଶ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରବାସୀ ଭାରତୀୟ ସମ୍ମାନ ପୁରସ୍କାର ୨୦୨୫ରେ ସମ୍ମାନିତ କରିବେ।