କାହିଁକି ଭାରତୀୟ ନର୍ସ ନିମିଷାଙ୍କୁ ୟେମେନରେ ମିଳିବ ଫାଶୀ?
ଆତ୍ମରକ୍ଷା ପାଇଁ ନେଇଥିବା ପଦକ୍ଷେପ ହେଲା କି କାଳ?
ଫାଶୀ ଦଣ୍ଡାଦେଶ ପଛରେ ଥିବା ପ୍ରକୃତ କାରଣ ଜାଣନ୍ତୁ
ନୂଆଦିଲ୍ଲୀ, ୦୮/୦୧: ନିମିଷା ପ୍ରିୟା … କେରଳର ଗୋଟିଏ ଗରିବ ପରିବାରରେ ଜନ୍ମିତ ଝିଅ। ଯାହାଙ୍କର ସ୍ୱପ୍ନ ଥିଲା ଉଚ୍ଚା। ଭବିଷ୍ୟତରେ ନର୍ସ ହେବା ପାଇଁ ଇଚ୍ଛା ରଖିଥିବା ସହ ବିଦେଶରେ ରହିବା ଥିଲା ସ୍ୱପ୍ନ। ଏହି ସ୍ୱପ୍ନ ଯେ ତାଙ୍କ ପାଇଁ ଫାଶୀର ଫାନ୍ଦ ସାଜିବ ସେ କେବେ କଳ୍ପନା ବି କରି ନଥିଲେ।
କେରଳର ପଲ୍ଲକଡ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ନିମିଷା ପ୍ରିୟା। ପିଲା ବେଳୁ ଅଭାବ ଅନାଟନରେ ବଢ଼ିଥିବା ବେଳେ ନର୍ସ ହେବା ପାଇଁ ଇଚ୍ଛା ରଖିବା ସହ ବିଦେଶ ଯିବା ପାଇଁ ସ୍ୱପ୍ନ ଦେଖିଥିଲେ। ପାଠ ପଢା ଶେଷ କରିବା ପରେ ୨୦୦୮ରେ ସେ ୟେମେନ ଯାଇ ସେଠାକାର ଏକ ସରକାରୀ ହସ୍ପିଟାଲରେ ନର୍ସ ଭାବେ କାମ କରିବା ଆରମ୍ଭ କରିଥିଲେ। ସେହି ହସ୍ପିଟାଲରେ ସେ ୬ ବର୍ଷ ପାଇଁ କାମ କରିଥିଲେ। ନିଜର ଏକ କ୍ଲିନିକ୍ କରିବା ପାଇଁ ଇଚ୍ଛା ଥିବାରୁ ୨୦୧୪ ମସିହାରେ କ୍ଲିନିକ୍ କରିବା ପ୍ରକ୍ରିୟା ଆରମ୍ଭ କରି ଦେଇଥିଲେ। ଏଥିରେ ତାଙ୍କ ସ୍ୱାମୀ ମଧ୍ୟ ସାହାଯ୍ୟ କରିଥିଲେ।
ୟେମେନ ଲ’ ଅନୁସାରେ, ଯଦି କେହି ବିଦେଶୀ ସେଠାରେ ବିଜନେସ ଆରମ୍ଭ କରନ୍ତି, ତାହାଲେ ୟେମେନର ଜଣେ ନାଗରିକ ହିଁ ବିଜନେସ ପାର୍ଟନର ହେବେ। ଏହା ପରେ ୟେମେନର ତଲାଲ ଅବଦୁ ମେହେଦି ନାମକ ଜଣେ ଯୁବକଙ୍କ ସଂସ୍ପର୍ଶରେ ଆସିଥିଲେ ନିମିଷା। ତେଣୁ ତଲାଲ ଅବଦୁଙ୍କୁ ନିଜର ବିଜନେସ ପାର୍ଟନର କରିଥିଲେ ନିମିଷା। ତଲାଲ ଅବଦୁଙ୍କ ସହ ମିଶି ସେ ସେଠାରେ ଏକ କ୍ଲିନିକ୍ ମଧ୍ୟ ଖୋଲିଥିଲେ।
ପରବର୍ତ୍ତୀ ସମୟରେ ତଲାଲ ନିଜକୁ ନିମିଷାଙ୍କ ପତି ଭାବେ ପରିଚୟ ଦେଉଥିଲେ। ଯାହା ପରେ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ଏହି ଘଟଣାକୁ ନେଇ ନିମିଷା ବହୁ ଥର ସ୍ଥାନୀୟ ପୋଲିସ ପାଖରେ ଅଭିଯୋଗ କରିଥିଲେ ମଧ୍ୟ ୟେମେନରେ ଗୃହଯୁଦ୍ଧ ଚାଲୁଥିବାରୁ ସେଠାକାର ପ୍ରଶାସନ ଏହି ଘଟଣାକୁ କର୍ଣ୍ଣପାତ କରି ପାରିନଥିଲେ। ନିମିଷାଙ୍କ ପ୍ରତି ତଲାଲ ଅବଦୁଙ୍କ ଅତ୍ୟାଚାର ଏତେ ଅସହ୍ୟ ହୋଇ ଯାଇଥିଲା ଯେ, ନିମିଷା ଭାରତ ଫେରି ଆସିବାକୁ ଚାହିଁଥିଲେ।
ଭାରତ ଫେରିବା ପାଇଁ ଦରକାରୀ ଡକ୍ୟୁମେଣ୍ଟ ଓ ପାସପୋର୍ଟ ସବୁ ତଲାଲ ନିଜ ପାଖରେ ରଖିଥିଲେ। ନିମିଷା ତାଙ୍କ ପାଖରୁ ଆଣିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଦେଇନଥିଲେ। ଏହା ପରେ ଅତିଷ୍ଠ ହୋଇ ନିମିଷା ତାଙ୍କୁ ନିଶା ଇଞ୍ଜେକସନ ଦେଇ ସେଠାରୁ ଖସି ପଳାଇ ଆସିବାକୁ ଚେଷ୍ଟା କରିଥିଲେ। ହେଲେ, ନିଶା ଇଞ୍ଜେକସନ ଏତେ ପ୍ରଭାବକାରୀ ଥିଲା ଯେ, କିଛି କ୍ଷଣରେ ହିଁ ତଲାଲଙ୍କ ମୃତ୍ୟୁ ଘଟିଥିଲା।
ଏହା ପରେ ନିମିଷା ସେଠାରୁ ଖସି ଆସିବାକୁ ଚେଷ୍ଟା କରିଥିଲେ। ହେଲେ, ୟେମେନ ପୋଲିସ ଏହି ଘଟଣା ଉପରେ ମାତ୍ର ୪ ଦିନରେ ପର୍ଦ୍ଦା ଉଠାଇଥିଲା। ନିମିଷା ୟେମେନରୁ ସାଉଦି ଆରବ ଦେଇ ଆସିବାକୁ ଚେଷ୍ଟା କରୁଥିବା ବେଳେ ସାଉଦି ଆରବ ବର୍ଡର ପାଖରେ ଧରିଥିଲା ୟେମେନ ପୋଲିସ। ଏହା ପରେ ୨୦୧୭ ଠାରୁ ନିମିଷା ଇରାନ ସମର୍ଥିତ ହୁତି ବିଦ୍ରୋହୀଙ୍କ କବଜାରେ ହତ୍ୟା ଅଭିଯୋଗରେ ବନ୍ଦୀ ଅବସ୍ଥାରେ ଅଛନ୍ତି। ୨୦୨୦ରେ ୟେମେନର ଏକ ଟ୍ରାଏଲ କୋର୍ଟ ତାଙ୍କୁ ଫାଶୀ ଦଣ୍ଡାଦେଶ ସଜା ଶୁଣାଇଥିଲେ। ୟେମେନର ରାଷ୍ଟ୍ରପତି ରଶାଦ ଅଲ-ଆଲିମି ଏବେ ନର୍ସ ନିମିଷା ପ୍ରିୟାଙ୍କ ମୃତ୍ୟୁଦଣ୍ଡକୁ ଅନୁମୋଦନ କରିଛନ୍ତି। ଯାହା ଫଳରେ ନିମିଷାଙ୍କ ମୃତ୍ୟୁଦଣ୍ଡ ସୁନିଶ୍ଚିତ ବୋଲି ଜଣାପଡିଛି।
ତେବେ ଏହାରି ଭିତରେ ନିମିଷାଙ୍କ ମାଆ ତଲାଲଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗରେ ଅଛନ୍ତି। ନିମିଷାଙ୍କ ମାଆ ତଲାଲଙ୍କ ପରିବାରକୁ କ୍ଷମା ପ୍ରାର୍ଥନା କରିବା ସହ ଅଭିଯୋଗକୁ ଫେରାଇ ନେବା ପାଇଁ ଅନୁରୋଧ ମଧ୍ୟ କରିଛନ୍ତି। ହେଲେ, ତଲାଲଙ୍କ ପରିବାର ଏହି ଅଭିଯୋଗ ଫେରାଇ ନେବା ପାଇଁ ମନା କରି ଦେଇଛନ୍ତି।
ଯଦି ତଲାଲଙ୍କ ପରିବାର ଏହି ହତ୍ୟା ଅଭିଯୋଗକୁ ଫେରାଇ ନିଅନ୍ତି ତାହାଲେ ହୁଏତ ନିମିଷାଙ୍କୁ ଛାଡି ଦିଆ ଯାଇପାରେ। ଯଦିଓ ଭାରତ ସରକାରଙ୍କ ପକ୍ଷରୁ ମଧ୍ଯ ନିମିଷାଙ୍କୁ ଦଣ୍ଡମୁକ୍ତ କରିବା ପାଇଁ ଯଥାସମ୍ଭବ ଚେଷ୍ଟା କରାଯାଉଛି। ଏହା ସହ ଭାରତ ସରକାର ନଚେତ୍ ନିମିଷାଙ୍କ ପରିବାର ପକ୍ଷରୁ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯାଏ, ତାହାଲେ ସେ ଦଣ୍ଡମୁକ୍ତ ହେବାର ସମ୍ଭାବନା ରହିଛି।