ମୁଖ୍ୟମନ୍ତ୍ରୀଙ୍କ ନୂଆ ଉପଦେଷ୍ଟା ନିଯୁକ୍ତ

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ‌ ବିଜ୍ଞପ୍ତି ପ୍ରକାଶ

ପୂର୍ବତନ ଆଇପିଏସ୍ ଅଫିସର ପ୍ରକାଶ ମିଶ୍ରଙ୍କୁ ବଡ଼ ଦାୟିତ୍ୱ

ଭୁବନେଶ୍ୱର, ୨୭/୦୧: ଆଜି ଦୁଇଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଅବସରପ୍ରାପ୍ତ ଆଇପିଏସ୍ ଅଫିସର ତଥା ଓଡ଼ିଶାର ପୂର୍ବତନ ଡିଜିପି ପ୍ରକାଶ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପଦେଷ୍ଟା ଭାବେ ନିଯୁକ୍ତ କରାଯାଇଛି। ପ୍ରକାଶ ମିଶ୍ରଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ମିଳିଛି।

ଓଡ଼ିଶା ପୁଲିସର ପୂର୍ବତନ ମହାନିର୍ଦ୍ଦେଶକ (ଡିଜିପି) ଥିଲେ ପ୍ରକାଶ ମିଶ୍ର। ୧୯୭୭ ବ୍ୟାଚ୍ ର ଆଇପିଏସ୍ ଅଫିସର ଶ୍ରୀ ମିଶ୍ର ୨୦୧୨ରୁ ୨୦୧୪ ପର୍ଯ୍ୟନ୍ତ ଡିଜିପି ପଦରେ ରହିଥିଲେ। ଅବସର ପୂର୍ବରୁ ଓଡ଼ିଶା କ୍ୟାଡରର ଏହି ଆଇପିଏସ୍ ଅଧିକାରୀ ୨୦୧୪ରୁ ୨୦୧୬ ପର୍ଯ୍ୟନ୍ତ କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ (ସିଆରପିଏଫ)ର ମହାନିର୍ଦ୍ଦେଶକ (ଡିଜି) ଭାବେ କାର୍ଯ୍ୟ କରିଥିଲେ।

ଅବସର ପରେ ଶ୍ରୀ ମିଶ୍ର ୨୦୧୯ରେ ରାଜ୍ୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗ ଦେଇଥିଲେ। ୨୦୧୯ ନିର୍ବାଚନରେ ସେ କଟକ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ ମଧ୍ୟ ପରାଜିତ ହୋଇଥିଲେ।