ମହାକୁମ୍ଭରେ ଦଳାଚକଟାରେ ୧୦ ମୃତ, ୫୦ରୁ ଉର୍ଦ୍ଧ୍ବ ଆହତ

ମୌନୀ ଅମାବାସ୍ୟାରେ ତ୍ରିବେଣୀ ସଙ୍ଗମରେ‌ ବୁଡ଼ ପକାଇବା ବେଳେ ଘଟିଲା ଅଘଟଣ।

ସ୍ଥିତି ସମ୍ପର୍କରେ ପ୍ରତିକ୍ରିୟା ରଖିଲେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ପ୍ରୟାଗରାଜ, ୨୯/୦୧: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଚାଲୁଥିବା ମହାକୁମ୍ଭ ମେଳାରେ ବୁଧବାର ରାତି ପ୍ରାୟ ୧ଟା ବେଳେ ଦଳାଚକଟା ଘଟି ପ୍ରାୟ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଆହତ ହୋଇଥିବା ସୂଚନା ମିଳିଛି। ଆଜି ମୌନି ଅମାବାସ୍ୟା ଅବସରରେ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବା ପାଇଁ ହଜାର ହଜାର ଲୋକଙ୍କ ସମାଗମ ହୋଇଥିବା ବେଳେ ବ୍ୟାରିକେଡ଼ ଭାଙ୍ଗି ଯିବାରୁ ଏହି ଅଘଟଣ ଘଟିଛି।

ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ କଥା ହୋଇ ପରିସ୍ଥିତି ଉପରେ ନଜର ରଖିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ମଧ୍ୟ ଆଦିତ୍ୟନାଥଙ୍କ ସହ କଥା ହୋଇ କେନ୍ଦ୍ର ସରକାରଙ୍କ ତରଫରୁ ସମସ୍ତ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଘଟଣାସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଅନ୍ୟପଟେ ପୂର୍ବରୁ ଏହି ଘଟଣା ପରେ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବା ବାତିଲ କରାଯାଇଥିବା ଆଖଡ଼ା ପକ୍ଷରୁ ଘୋଷଣା କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଣମାଧ୍ୟମରେ କହିଛନ୍ତି ଯେ, ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଏହି ଘଟଣାରେ କିଛି ଶ୍ରଦ୍ଧାଳୁ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ କେତେକ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତଙ୍କ ଚିକିତ୍ସା ଚାଲିଛି। ଖୁବଶୀଘ୍ର ସେମାନେ ସୁସ୍ଥ ହେବେ। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ସକାଳୁ ସ୍ଥିତିର ସମୀକ୍ଷା କରୁଛନ୍ତି। ପ୍ରଧାନମନ୍ତ୍ରୀ ସକାଳୁ ଆମ ସହ ୪ ଥର କଥା ହୋଇ ସାରିଲେଣି। ପରିସ୍ଥିତି ନିୟନ୍ତ୍ରଣରେ ଥିଲେ ମଧ୍ୟ ଭିଡ଼ ଏବେ ବି ରହିଛି। ପ୍ରୟାଗରାଜରେ ଏବେ ୮ରୁ ୧୦ କୋଟି ଲୋକ ଅଛନ୍ତି। ସକାଳ ୮ଟା ସୁଦ୍ଧା ୨ କୋଟି ୭୮ ଲକ୍ଷ ଶ୍ରଦ୍ଧାଳୁ ସ୍ନାନ କରିଛନ୍ତି ବୋଲି ଯୋଗୀ ଆଦିତ୍ୟନାଥ କହିଛନ୍ତି। ତ୍ରିବେଣୀ ସଙ୍ଗମ‌ ନ ଆସି ନିକଟସ୍ଥ ଘାଟରେ ସ୍ନାନ କରିବାକୁ ଅନୁରୋଧ କରିଛନ୍ତି।