ପଦରୁ ହଟିଲେ ଦେବଗଡ଼ ପୌରାଧ୍ୟକ୍ଷା ଶାନ୍ତିମଞ୍ଜରୀ ଦେଇ

ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ

ଦେବଗଡ଼, ୨୯/୦୧: ଦେବଗଡ଼ ନଗରପାଳିକାର ବିଜେଡ଼ି ପୌରାଧ୍ୟକ୍ଷା ଶାନ୍ତିମଞ୍ଜରୀ ଦେଇଙ୍କୁ ପଦବୀରୁ ବହିଷ୍କୃତ କରାଯାଇଛି। ମ୍ୟୁନିସିପାଲଟି ଆଇନ ଉଲ୍ଲଂଘନ କରିବା ଏବଂ ଗାଇଡଲାଇନକୁ ଅବମାନନା କରିଥିବା ନେଇ ତାଙ୍କ ନାମରେ ଅଭିଯୋଗ ହୋଇଥିଲା। ରାଜ୍ୟପାଳଙ୍କ ନିର୍ଦ୍ଦେଶ କ୍ରମେ ନଗର ଉନ୍ନୟନ ବିଭାଗ ପକ୍ଷରୁ‌ ତଦନ୍ତ ଆରମ୍ଭ କରାଯାଇଥିଲା। ତଦନ୍ତ ପରେ ଗତ ନଭେମ୍ବର ୧୧ରେ ରାଜ୍ୟ ସରକାର ତାଙ୍କ ବିରୋଧରେ ନୋଟିସ ଜାରି କରିଥିଲେ। ଏବଂ ତାଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବ ସେ ନେଇ ଜବାବ ମାଗିଥିଲେ। କିନ୍ତୁ ପୌରାଧ୍ୟକ୍ଷା ଏହାର ଜବାବ ନ ଦେଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ଏଥିରେ ହସ୍ତକ୍ଷେପ କରିବା ପାଇଁ ମନା କରିବା ସହ ୭ ଦିନ ମଧ୍ୟରେ ଏହାର ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଡିସେମ୍ବର ୧୭ରେ ପୌରାଧ୍ୟକ୍ଷା ଜବାବ ରଖିଥିଲେ ମଧ୍ୟ ସନ୍ତୋଷ ଜନକ ଉତ୍ତର ଦେଇ ପାରିନଥିଲେ। ଏହା ପରେ ତାଙ୍କୁ ପଦରୁ ଅପସାରଣ ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା।