ବଜେଟ୍ ୨୦୨୫: ମଧ୍ୟବିତ୍ତଙ୍କୁ ଆଶ୍ୱସ୍ତି
କ୍ରମାଗତ ଅଷ୍ଟମ ଥର ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି ନିର୍ମଳା ସୀତାରମଣ।
୧୨ ଲକ୍ଷ ଟଙ୍କା ଯାଏଁ ଆୟକର ଛାଡ଼
ନୂଆଦିଲ୍ଲୀ, ୦୧/୦୨: ସଂସଦର ବଜେଟ୍ ଅଧିବେଶନରେ ଆଜି ୨୦୨୫-୨୬ ଆର୍ଥିକ ବର୍ଷ ପାଇଁଁ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। କ୍ରମାଗତ ଅଷ୍ଟମ ଥର ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି ନିର୍ମଳା। ଚଳିତ ବଜେଟରେ ମଧ୍ୟବିତ୍ତବର୍ଗଙ୍କୁ ଗୁରୁତ୍ୱ ଦିଆଯାଇଛି।
ବାର୍ଷିକ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଟିକସ ଲାଗୁ ହେବ ନାହିଁ। ମଧ୍ୟବିତ୍ତଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ଟିକସକୁ ଯଥେଷ୍ଟ ପରିମାଣରେ ହ୍ରାସ କରିବାକୁ ଲକ୍ଷ୍ୟ ରଖାଯାଇଥିବା ଏହି ନୂଆ ଟିକସ ଢାଞ୍ଚାରେ ସ୍ୱତନ୍ତ୍ର ଆୟବ୍ୟତୀତ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ଟିକସଦାତାଙ୍କୁ ଟିକସ ରିହାତି ମିଳିବ। ନୂଆ ବ୍ୟବସ୍ଥାରେ ୧୨ ଲକ୍ଷ ଟଙ୍କାର ଆୟ କରୁଥିବା ଟିକସଦାତାଙ୍କୁ ୮୦ ହଜାର ଟଙ୍କାର ଟିକସ ସୁବିଧା ମିଳିବ ଏବଂ ୧୮ ଲକ୍ଷ ଟଙ୍କା ଆୟ କରୁଥିବା ବ୍ୟକ୍ତିଙ୍କୁ ୭୦ ହଜାର ଟଙ୍କାର ଲାଭ ମିଳିବ। ବରିଷ୍ଠ ନାଗରିକଙ୍କ ପାଇଁ ଟିକସ ଛାଡ଼ ସୀମାକୁ ଦୁଇଗୁଣ କରି ୧ ଲକ୍ଷ ଟଙ୍କା କରାଯିବ। ଆୟକର ଜମା ସମୟ ସୀମା ୨ ବର୍ଷରୁ ୪ ବର୍ଷକୁ ବୃଦ୍ଧି କରାଯାଇଛି।

ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଟିକସ ସ୍ଲାବ୍:-
୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ: ନାହିଁ
୪-୮ ଲକ୍ଷ ଟଙ୍କା: ୫%
୮-୧୨ ଲକ୍ଷ ଟଙ୍କା: ୧୦%
୧୨-୧୬ ଲକ୍ଷ ଟଙ୍କା: ୧୫%
୧୬-୨୦ ଲକ୍ଷ ଟଙ୍କା: ୨୦%
୨୦-୨୫ ଲକ୍ଷ ଟଙ୍କା: ୨୪%
୨୫ ଲକ୍ଷ ଟଙ୍କାରୁ ଅଧିକ: ୩୦%