ରାଜଧାନୀରେ ମୋ ବସ୍ ନେଲା ନାବାଳିକାର ଜୀବନ
ଭୁବନେଶ୍ୱରର ରଘୁନାଥପୁର ଥାନା ଅଞ୍ଚଳରେ ଏକ ମୋ ବସ୍ ଦୁର୍ଘଟଣାରେ ଜଣେ ନାବାଳିକାର ମୃତ୍ୟୁ ଘଟିଛି।
କ୍ରୁଟ ପକ୍ଷରୁ କ୍ଷତିପୂରଣ ଭରଣା
ଭୁବନେଶ୍ୱର, ୦୪/୦୨: ରାଜଧାନୀ ଭୁବନେଶ୍ୱରରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଭୁବନେଶ୍ୱରର ରଘୁନାଥପୁର ଥାନା ଅଞ୍ଚଳରେ ଏକ ୫୪ ନମ୍ବରର ମୋ ବସ୍ ଦୁର୍ଘଟଣାରେ ଜଣେ ନାବାଳିକାର ମୃତ୍ୟୁ ଘଟିଛି। ନାବାଳିକା ଜଣକ ମୁନି ଜୁଆଡି(୧୩) ବୋଲି ଜଣାପଡ଼ିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ମୋ ବସ୍ ପରିଚାଳନା କରୁଥିବା କ୍ରୁଟ ଓ ଡ୍ରାଇଭର ଉପରେ କାର୍ଯ୍ୟାନୁଷ୍ଠାନ ଦାବିରେ ଘଟଣାସ୍ଥଳରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି।
ସୂଚନାଯୋଗ୍ୟ, ଆଜି ସକାଳ ସମୟରେ ମୁନି ଜୁଆଡି ସାଇକେଲ ଯୋଗେ ଯାଉଥିବା ବେଳେ ଜୟଦେବବିହାର-ନନ୍ଦନକାନନ ରାସ୍ତାରେ ଏକ ୫୪ ନମ୍ବର ମୋ ବସ୍ ଟି ମୁନି ଜୁଆଡିଙ୍କ ଉପରେ ଚଢି ଯାଇଥିଲା। ପାଖାପାଖି ୧୦୦ ମିଟର ଯାଏଁ ଘୋଷାଡି ନେଇଥିଲା। ଏଥିରେ ମୁନି ଜୁଆଡିଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ବସ୍ ଚାଳକ ଦୁର୍ଘଟଣା ଘଟାଇବା ପରେ ସ୍ଥାନୀୟ ରଘୁନାଥପୁର ଥାନାରେ ଯାଇ ଆତ୍ମସମର୍ପଣ କରିଥିଲେ। ହେଲେ, ଡ୍ରାଇଭରକୁ ଗିରଫ ଦାବିରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିଲା।
ପରେ କ୍ରୁଟ ପକ୍ଷରୁ ମୃତ ନାବାଳିକା ମୁନି ଜୁଆଡିଙ୍କ ପରିବାରକୁ କ୍ଷତିପୂରଣ ରାଶି ଦେବାକୁ ଘୋଷଣା କରାଯାଇଛି। ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ପାଇଁ ଘୋଷଣା କରିବା ସହ ଡ୍ରାଇଭରଙ୍କ ଭୁଲ ଯୋଗୁଁ ଏଭଳି ଏକ ଦୁର୍ଘଟଣା ହୋଇଥିବା ସ୍ୱୀକାର କରିଛନ୍ତି କ୍ରୁଟ କର୍ତ୍ତୃପକ୍ଷ। ଏହା ପରେ ରାସ୍ତାରୋକ ହଟିବା ସହ ଯାନବାହାନ ଚଳାଚଳ ସ୍ୱାଭାବିକ ହୋଇଛି।