ଛତିଶଗଡ଼, ୦୪/୦୨: ଛତିଶଗଡ଼ର ରାୟପୁରରୁ ୪୦୦ କି.ମି ଦୂର ତଥା ଓଡ଼ିଶାର ମାଲକାନଗିରି ସୀମାନ୍ତ ବିଜାପୁରରେ ପୁଣି ବଢ଼ିଛି ନକ୍ସଲ ହିଂସା। ମାଓବାଦୀଙ୍କ ବର୍ବର କାଣ୍ଡ ଦେଖିବାକୁ ମିଳିଛି। ଦୁଇ ଜଣ ଗ୍ରାମବାସୀଙ୍କୁ ଘରୁ ଅପହରଣ କରି ନେଇ ନିର୍ମମ ଭାବେ ହତ୍ୟା କରିଛନ୍ତି।
ସୂଚନା ଅନୁଯାୟୀ, ସୋମବାର ମଧ୍ୟରାତ୍ରିରେ ତରେମ ଥାନା ଅନ୍ତର୍ଗତ ବୁଦୁଗିଚେରୁ ଗ୍ରାମର ଦୁଇ ଜଣଙ୍କୁ ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଅପହରଣ କରି ନେଇ ସ୍ଥାନୀୟ ଜଙ୍ଗଲରେ ନିସ୍ତୁକ ମାଡ ମାରିଥିଲେ। ଏହା ପରେ ମାଓବାଦୀମାନେ ଧାରୁଆ ଅସ୍ତ୍ରରେ ଦୁଇ ଜଣ ଗ୍ରାମବାସୀଙ୍କୁ ଗଳା କାଟି ନିର୍ମମ ଭାବେ ହତ୍ୟା କରିଛନ୍ତି। ମୃତକମାନେ ହେଲେ କରମ ରାଜୁ (୩୨) ଓ ମାଧବୀ ମୁନ୍ନା (୨୭)।
ସୂଚନାଯୋଗ୍ୟ, ଗତ ଜାନୁଆରି ୧୬ ତାରିଖରେ ମାଓବାଦୀମାନେ ବିଜାପୁରର ମିତୁର ଅଞ୍ଚଳରେ ଜଣେ ୪୮ ବର୍ଷୀୟ ବ୍ୟକ୍ତିଙ୍କୁ ପୁଲିସ ସୂଚନାଦାତା ସନ୍ଦେହରେ ହତ୍ୟା କରିଥିଲେ। ସେହିପରି କେବଳ ବସ୍ତର ଅଞ୍ଚଳରେ ଗତବର୍ଷ ମାଓବାଦୀ ଆକ୍ରମଣର ଶିକାର ହୋଇ ୬୮ ପ୍ରାଣ ହରାଇଥିଲେ।